ପୁରୀ: ଦୃଷ୍ଟିହୀନ ବାପାମାଆଙ୍କୁ କାନ୍ଧରେ ବୋହି ପୁଅ ଶ୍ରବଣ କୁମାରଙ୍କ ତୀର୍ଥ ଦର୍ଶନ ସମ୍ପର୍କରେ ଆପଣ ଜାଣନ୍ତି । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ଏପରି ଶ୍ରବଣ କୁମାର ରହିଛନ୍ତି । ଏପରି ଏକ ଘଟଣା ବଡଦାଣ୍ଡରେ ଦେଖିବାକୁ ମିଳିଛି । ମା'ର ଶେଷ ଇଚ୍ଛା ପୂରଣ କରିବା ଲାଗି ବୋଝରେ ବୋହି ଜଗା ଦ୍ବାରରେ ପହଞ୍ଚିଛନ୍ତି । ଏବେର ଯୁଗର କିଛି ପୁଅ ନିଜ ପିତାମାତାଙ୍କୁ ପଚାରୁନଥିବା ବେଳେ ଏପଟେ ଏପରି ପୁଅକୁ ଦେଖି ସମସ୍ତେ କରିଛନ୍ତି ବାଃ ବାଃ ।
ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରବିବାର ଦେଖିବାକୁ ମିଳିଛି ଏଭଳି କିଛି ଭାବବିହ୍ବଳ ଦୃଶ୍ୟ । କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ମା'ର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ ଭାଗ୍ୟବାନ ମନେ କରିଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ । ତେବେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଥିଲା । ସବୁ କଷ୍ଟ ଭୁଲି ମା'ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ ।