ପୁରୀ: ‘ଜଳ ଜୀବନ ମିଶନ’ ଶୀର୍ଷକ ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ପୁରୀରେ ଅନୁଷ୍ଠିତ ହୋଇଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ର ଜଳ ଓ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଗ୍ରାମାଞ୍ଚଳ ଜନପ୍ରତିନିଧି ଓ ବିଭିନ୍ନ ଷ୍ଟକ ହୋଲଡରମାନେ ଭାଗ ନେଇଥିଲେ । ଦେଶର 18 ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ପାରିଥିବା କଥା କେନ୍ଦ୍ର ଜଳ ଓ ଶକ୍ତିମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି । ଆସନ୍ତା ସାଢେ ଚାରିବର୍ଷ ମଧ୍ୟରେ ଏହି ପ୍ରତିଶତକୁ 4ଗୁଣା ବୃଦ୍ଧି କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି ।
ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ନେଇ ଘୋଷଣା କରିଥିଲେ । ଏଥି ପାଇଁ ପ୍ରାୟ ତିନି ଲକ୍ଷ ଷାଠିଏ ହଜାର କୋଟି ବିନିମୟରେ ଚଉଦ କୋଟି ଷାଠିଏ ଲକ୍ଷ ପରିବାରକୁ ଏହି ସୁବିଧା ପହଞ୍ଚିବ ।