ପୁରୀ:କୋଭିଡ ସଂକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା କାଗଜପତ୍ର କାମ କରାଇବାକୁ ଲାଞ୍ଚ ନେଉଛନ୍ତି ତହସିଲ କାର୍ଯ୍ୟାଳୟର କିରାଣୀ । ଜଣେ କୋଭିଡ ମୃତକଙ୍କ ସ୍ବାମୀ ସହାୟତା ରାଶି ପାଇବାକୁ ଅସ୍ତରଙ୍ଗ ତହସିଲ ଅଫିସକୁ କାଗଜପତ୍ର କାମ କରାଇବାକୁ ଆସିଥିଲେ । ତେବେ ଏହି କିରାଣୀ ପ୍ରଶାନ୍ତ ପାତ୍ର ତାଙ୍କୁ ହାତ ଖର୍ଚ୍ଚ ନାମରେ ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟର କିରାଣୀ ଲାଞ୍ଚ ମାଗୁଥିବା ଭିଡିଓରେ ଦେଖାଯାଇଛି ।
ସେପଟେ କୋଭିଡ ମୃତକଙ୍କ ସ୍ବାମୀ କିରାଣୀଙ୍କ ଡିମାଣ୍ଡ ମୁତାବକ ୫୦୦ ଟଙ୍କା ଫୋନ୍ ପେ ମାଧ୍ୟମରେ ପଠାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନୂଆଗଡ଼ ଗ୍ରାମର ଅଶୋକ ବାରିକଙ୍କ ପତ୍ନୀ ଭାରତୀ ବାରିକଙ୍କ କୋଭିଡ ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୋଭିଡ ସହାୟତା ରାଶି ପାଇବାକୁ ଅଶୋକ ସମସ୍ତ କାଗଜପତ୍ର ନେଇ ବାରମ୍ବାର ଅସ୍ତରଙ୍ଗ ତହସିଲକୁ ଯାଇଥିଲେ । ହେଲେ କେହି ତାଙ୍କୁ କୌଣସି ସହାୟତା କରିନଥିଲେ । ସେଠାରେ କିରାଣୀ ଥିବା ପ୍ରଶାନ୍ତ ପାତ୍ର କାଗଜପତ୍ର ଭୁଲ୍ ଅଛି ବୋଲି କହିଥିଲେ । ଏହା ଠିକ୍ କରିଦେବାକୁ କହି ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ।