ଓଡିଶା

odisha

ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର; ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ

By ETV Bharat Odisha Team

Published : Nov 18, 2023, 10:57 AM IST

Updated : Nov 18, 2023, 11:20 AM IST

ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟର ସମୀକ୍ଷା ସହ ଶ୍ରୀମନ୍ଦିର ଚାରିପାଖରେ ଉଚ୍ଛେଦ ହୋଇଥିବା ମଠଗୁଡ଼ିକର ଖୁବଶୀଘ୍ର ପୁନରୁଦ୍ଧାର ନେଇ କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପୁରୀ ଗସ୍ତରେ ଆସି ସକାଳୁ ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିର ଯାଇ ମଙ୍ଗଳ ଆଳତୀ ଦର୍ଶନ ସହ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଏହି ଅବସରରେ ସେ ଶ୍ରୀକ୍ଷେତ୍ର କୀର୍ତ୍ତିରାଜିର ନବକଳେବର ଓ ପୁରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ସୂଚନା ମୁତାବକ, ପୁରୀ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୋରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ପ୍ରଥମେ ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ବେଢ଼ା ଭିତ୍ତରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଭ୍ରମଣ କରିଥିଲେ । ତେବେ ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରୁଥିବା ପ୍ରତିକ୍ରିୟାରେ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ ହେବା ଉଚିତ୍ । ଏଥିସହ ଭଙ୍ଗା ଯାଇଥିବା ଐତିହ୍ୟ କୀର୍ତ୍ତିରାଜି ତଥା ପୁରାତନ ମଠ ଗୁଡ଼ିକର ପୁନରୁଦ୍ଧାର ଶୀଘ୍ର ହେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଥିସହ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ବଡଦାଣ୍ଡରେ କମିବ ଭକ୍ତଙ୍କ ଗହଳି, ଶ୍ରଦ୍ଧାଳୁଙ୍କ ପାଇଁ ହେଉଛି ସ୍ଵତନ୍ତ୍ର ଗ୍ରୀନ କରିଡର

ସେହିପରି ଶ୍ରୀମନ୍ଦିର ନାଟ ମଣ୍ଡପ କାର୍ଯ୍ୟ ଏଏସଆଇ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏହାର ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଯେଭଳି କାର୍ଯ୍ୟ ସରିବ ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଏସ୍ଆଇ ଏକ ଯୋଗ୍ୟ ଅନୁଷ୍ଠାନ । ସାରା ବିଶ୍ଵରେ ଏହାର ଖ୍ୟାତି ରହିଛି । ଏଣୁ ନାଟମଣ୍ଡପ କାର୍ଯ୍ୟ ଭଲରେ ହେବ ବୋଲି ଭକ୍ତମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ବୋଲି କହିଛନ୍ତି । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀମନ୍ଦିର ଦର୍ଶନ ସାରି ଫେରିବା ପରେ ଜଣେ ଦିବ୍ୟାଙ୍ଗ ଯୁବତୀ ତାଙ୍କୁ ଅଭିଯୋଗ ପତ୍ର ଦେଇଥିଲେ । ପ୍ରକାଶ ଥାଉକି, ଆଜି ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଏକ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ କ୍ୟାମ୍ପସର ଅନେକ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଇଟିଭି ଭାରତ, ପୁରୀ

Last Updated : Nov 18, 2023, 11:20 AM IST

ABOUT THE AUTHOR

...view details