ପୁରୀ: ସାକ୍ଷୀଗୋପାଳ ମନ୍ଦିରରୁ ଚୋରି । ଦାନ ବାକ୍ସରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ବିଶ୍ଵନାଥପୁରର ଶ୍ରୀଧର ମିଶ୍ର ଓ ନୂଆଗାଁର ମୁନା ମିଶ୍ର । ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଚଢ଼ାଉ କରି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ 208 ଗ୍ରାମ ସୁନା ଅଳଙ୍କାର, 67 ହଜାର ଟଙ୍କା ସହ ସିସିଟିଭି ମନିଟରକୁ ପୋଲିସ ଜବତ କରିଛି । ସେହିପରି ଏକ ଅଟୋରେ ସେମାନେ ଚୋରି କରି ପଲାଇ ଯାଇଥିବା ବେଳେ ଉକ୍ତ ଅଟୋକୁ ପୋଲିସ ଜବତ କରିଛି । ସତ୍ୟବାଦୀ ପୋଲିସରେ ଏକ ସାମ୍ୱାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଅଭିଯୁକ୍ତମାନେ ଗତକାଲି ରାତିରେ ସାକ୍ଷୀଗୋପାଳ ମନ୍ଦିରରୁ ଲୁଟ କରିଥଲେ । ଖବର ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଗିରଫ ଅଭିଯୁକ୍ତ ଦୁଇ ଜଣ ପୁର୍ବରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମନ୍ଦିରରୁ ଚୋରି ଘଟଣାରେ ଗିରଫ ହୋଇଥିବାରୁ ଏମାନଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା । ପରେ ସେମାନଙ୍କ ବିଷୟରେ ତଥ୍ୟ ନେଇଥିଲା ପୋଲିସ । ତେବେ ଦୁଇ ଜଣ ଅଭିଯୁକ୍ତ ଘରେ ନଥିବା ବେଳେ ମୋବାଇଲ ଅଫ ରହିଥିଲା । ସେହିପରି ଗତକାଲି ରାତି ଏହି ଦୁଇ ଜଣ ମନ୍ଦିର ନିକଟରେ ବୁଲାବୁଲି କରିଥିବା ପୋଲିସ ତଥ୍ୟ ପାଇଥିଲା ।
ତେବେ ଅଭିଯୁକ୍ତ ଦୁଇ ଜଣଙ୍କୁ ପୋଲିସ ଖୋଜାଖୋଜି କରିବା ପରେ ଗାଁ ପାଖରୁ ଶ୍ରୀଧରକୁ ପୋଲିସ ଧରିଥିଲା । ପରେ ପଚରା ଉଚରା ପରେ ଶ୍ରୀଧର ସବୁ ମାନିଯାଇଥିଲା । ପରେ ତାର ସହଯୋଗୀ ମୁନା ମିଶ୍ରକୁ ମଧ୍ୟ ଗିରଫ କରିଥିଲା । ତେବେ ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ଆହୁରି ଅନେକ ସାମଗ୍ରୀ ମିଳିଥିବାରୁ ଏମାନେ ଅନ୍ୟ ଜିଲ୍ଲାରେ ମନ୍ଦିର ଚୋରିରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ତେବେ ଦୁଇ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ।