ଭୁବନେଶ୍ବର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବୃକ୍ଷ ଭଗବାନ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀଜଗନ୍ନାଥଙ୍କ କେଉଁ କାରଣରୁ ଶ୍ରୀଗଣପତିଙ୍କ ବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ କଣ ତତ୍ତ୍ବ ରହିଛି । ଏହି ବେଶ ପଛରେ ଗୋଟିଏ ତତ୍ତ୍ବ ଓ ଗୋଟିଏ କିମ୍ବଦନ୍ତୀ ରହିଛି। ସେଥିମଧ୍ୟରୁ ଭକ୍ତର ଭାବକୁ ନେଇ ଏକ ସୁନ୍ଦର ତଥା ରୋଚକ କାହାଣୀ ମଧ୍ୟ ରହିଛି ।
ସମ୍ପୂର୍ଣ୍ଣ କାହାଣୀ ଏହିପରି । ମହାରାଷ୍ଟ୍ରର ଜଣେ ବ୍ରାହ୍ମଣ ଗଣପତି ଭଟ୍ଟ ଏକଦା ଶ୍ରୀକ୍ଷେତ୍ରର ମହିମା ଶ୍ରବଣ କରି ମହାବାହୁ କାଳିଆ ଦିଅଁଙ୍କୁ ଦର୍ଶନ ପାଇଁ ପୁରୀ ଆଗମନ କରିଥିଲେ । ସେ ଅଗ୍ରପୂଜ୍ୟ ଗଜାନନଙ୍କ ଭକ୍ତ ଥିଲେ। ଜଗନ୍ନାଥଙ୍କୁ ଦର୍ଶନ ପରେ ଦାରୁ ବିଗ୍ରହଙ୍କ ଠାରେ ନିଜ ଆରାଧ୍ୟ ଗଣପତିଙ୍କ ସ୍ବରୂପ ଦେଖି ନପାରି ସେ ପ୍ରଭୁଙ୍କୁ ବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କରିବା ସହ ଦେଉଳ ତ୍ୟାଗ କରିଥିଲେ । ଯେଉଁଦିନ ସେ ମନ୍ଦିର ପରିତ୍ୟାଗ କରି ଫେରି ଯିବାକୁ ବସିଥିଲେ । ତାର ଠିକ୍ ପରଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିଲା ।
ଜଗନ୍ନାଥଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ। ଏହି ଦିନ ସ୍ନାନ ଯାତ୍ରା ସରିଲା ପରେ ଦୃଷ୍ଟି ଦାରୁ ବିଗ୍ରହ ଗଣପତି ରୂପ ଧାରଣ କରିଥିବା ଦୃଶ୍ୟମାନ ହୋଇଥିଲା । ଏହି ଅଦ୍ଭୂତ ଦୈବୀକ ଘଟଣା ଦେଖି ଗଣପତି ଭଟ୍ଟଙ୍କ ଜ୍ଞାନଚକ୍ଷୁ ଜାଗରିତ ହୋଇଥିଲା । ପ୍ରଭୁଙ୍କ ପଦାରବିନ୍ଦରେ ପ୍ରଣତି ଢାଳି ଭକ୍ତ କ୍ଷମାପ୍ରାର୍ଥୀ ଭାବରେ ଦଣ୍ଡାୟମାନ ହୋଇଥିଲା । ଏହାପରେ ଭକତର ପ୍ରାଣଧନ, ଭକତ ଜୀବର ଜୀବନ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କରିଥିଲେ । ତାହା ପରଠାରୁ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ବା ହାତୀ ବେଶ ଧାରଣ କରନ୍ତି।