ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ ଭୁବନେଶ୍ବର: ଆସନ୍ତାକାଲି (ସୋମବାର) ପୁରୀରେ କଂଗ୍ରେସର ବିଶାଳ ସମାବେଶ । ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ହେଉଛି କଂଗ୍ରେସ ସଂଗଠନ । ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ସରକାରୀ ବିରୋଧୀ ଆହ୍ବାନ ଦିଆଯାଉଛି । ଦକ୍ଷିଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଏବେ ଉପକୂଳ ପୁରୀରେ ବିଶାଳ ସମାବେଶ କରିବ କଂଗ୍ରେସ । କାଲି ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଓ କାର୍ତ୍ତିକ ମାସ ପୂର୍ବରୁ ଚାରି ଦ୍ବାର ଖୋଲିବା ଦାବି କରି ବର୍ଷିବ କଂଗ୍ରେସ । ପ୍ରାୟ 5 ହଜାରରୁ ଅଧିକ ଜନସାଧାରଣ ସମାଗମ ହେବାର ଆକଳନ କରିଛି କଂଗ୍ରେସ ।
ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ବାରକୁ ସାରା ଓଡ଼ିଶା ଏବଂ ବିଶ୍ବର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ବାରା ଆଗାମୀ କାର୍ତ୍ତିକ ମାସରେ ସେଠାରେ ହବିଷିଆଳୀଙ୍କଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରିଦ୍ବାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ବାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଚେତାବନୀ ଦେଇଛି କଂଗ୍ରେସ ।
ଏହା ବି ପଢନ୍ତୁ- ପୁରୀରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' ଅଭିଯାନ
ସାରା ଦେଶ ଏବଂ ବିଶ୍ବରୁ ଭକ୍ତ ଆସି ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି, ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ବାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ । ଆସନ୍ତାକାଲି ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଦିବା ୧୦ଟା ସମୟରେ ପୁରୀଠାରେ ଅନୁଷ୍ଠିତ ହେବ ।
କଂଗ୍ରେସର ଦାବି ଯାହାକି ଓଡ଼ିଶା, ଭାରତ ଏବଂ ବିଶ୍ବର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସମ୍ପର୍କରେ ଏକ ସ୍ମାରକ ପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଧାର୍ଯ୍ୟ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାଜ୍ୟ ସରକାର କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲନ୍ତୁ ବୋଲି ଦାବି ହୋଇଛି ।
ପୁରୀ ଜିଲ୍ଲାର ଚାଷୀ ଭାଇମାନଙ୍କ ପାଖରୁ ବେଦାନ୍ତ ଯେଉଁ ଜମି ଅଧିଗ୍ରହଣ କରିଛି ସେ ସମସ୍ତ ଜମିକୁ ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ଫେରାଇବାର ସସସ୍ତ ଦାୟିତ୍ବ ନିଅନ୍ତୁ । ଅତି ଦୁଃଖର କଥା ଯେଉଁ କମ୍ପାନୀ ଗୋଟିଏ ସ୍କୁଲ କରି ନାହିଁ ସେ କମ୍ପାନୀ ପାଇଁ ଏ ରାଜ୍ୟ ସରକାର ଜମି ଦଲାଲି କାହିଁକି କରୁଥିଲେ ? ଏହା କ’ଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଥିଲା କି ? ଏହାର ଉତ୍ତର ସରକାର ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର