ପୁରୀ:ଶ୍ରୀକ୍ଷେତ୍ରରେ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା । ଶ୍ରୀମନ୍ଦିରରେ ଦେଵୀ ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀମାନଙ୍କ ପୀଠରେ ଆରମ୍ଭ ହୋଇଛି ଏହି ପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଶାରଦୀୟ ଦୁର୍ଗାପୂଜାର ଷୋଡ଼ଶ ଦିନାତ୍ମକ ପୂଜା ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରି ବ୍ରାହ୍ମଣ ବରଣ କରିଛନ୍ତି ।
ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି(ଶୁକ୍ରବାର)ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ । ଗଜପତିଙ୍କ ଶ୍ରୀନହରରୁ ଆରମ୍ଭ ହୋଇଥାଏ ଏହି ବିଧି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ତେବେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱୀନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଅର୍ଥାତ ଷୋହଳ ଦିନ ଧରି ଏହି ପୂଜା କରାଯାଏ ।
ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ୨୧ ଜଣ ବ୍ରାହ୍ମଣଙ୍କୁ ଡ଼ାକି ସେମାନଙ୍କୁ ବରଣ କରିବା ସହ ବସ୍ତ୍ର ଦାନ କରିଛନ୍ତି । ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ ।