ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟସୂଚୀ ଚୂଡ଼ାନ୍ତ: କାଲିଠୁ ପୂଜାବିଧି, ୧୭ରେ ଲୋକାର୍ପଣ

Sri Mandir Corridor project Inauguration: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପରିକ୍ରମା ପ୍ରକଳ୍ପ ଉତ୍ସବର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି (ଶୁକ୍ରବାର) ପୂଜାବିଧି, 17ରେ ପ୍ରକଳ୍ପ ଲୋକର୍ପଣ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 11, 2024, 6:21 PM IST

Updated : Jan 11, 2024, 7:10 PM IST

Sri Mandir preparatory meeting
Sri Mandir preparatory meeting

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟସୂଚୀ ଚୂଡ଼ାନ୍ତ: କାଲିଠୁ ପୂଜାବିଧି, ୧୭ରେ ଲୋକାର୍ପଣ

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ । ଆଜି (ଗୁରୁବାର) ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହୋଇଛି ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀ । ଆସନ୍ତାକାଲିଠାରୁ ପୂଜାବିଧି ଆରମ୍ଭ ହେବାକୁ ଯାଉଥିବା ବେଳେ 17 ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ଉତ୍କଳୀୟ କଳା ଭାସ୍କର୍ଯ୍ୟ ଏବଂ ସୁନ୍ଦର ସୁନ୍ଦର ଫୁଲ ଓ ଗଛର ସମ୍ଭାରରେ ଝଲସୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଉଦଘାଟନ ଉତ୍ସବକୁ କିଭଳି ଭବ୍ୟ ଆକାରରେ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କରାଯାଇପାରିବ ସେନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢନ୍ତୁ- ପୁରୀରୁ ପ୍ରତି ଜିଲ୍ଲାକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଥିବା ସମସ୍ତ ନିର୍ମାଣ ସାମଗ୍ରୀ ଏବଂ ଆବର୍ଜନାକୁ ହଟାଯାଇ ପରିଷ୍କାର କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଆଚାର୍ଯ୍ୟ ବରଣ କରାଯିବା ପରେ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । ପରିକ୍ରମା ପ୍ରକଳ୍ପ ଲାଗି ହେବାକୁ ଥିବା ପୂଜାବିଧି କିଭଳି ସୁରୁଖୁରୁରେ ହୋଇପାରିବ ସେନେଇ ସମସ୍ତଙ୍କୁ ଦାୟିତ୍ଵ ଦିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଚୂଡ଼ାନ୍ତ କାର୍ଯ୍ୟସୂଚୀ:-ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଗଜପତିଙ୍କ ଦ୍ବାରା ଆଚାର୍ଯ୍ୟ ବରଣ, ସନ୍ଧ୍ୟା ୬ଟା ୩୦ରେ ଅଙ୍କୁରାରୋପଣ, ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ ଅନୁଷ୍ଠିତ ହେବ। ସେହିପରି ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ, ୧୬ ତାରିଖରେ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ । ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ- ନେପାଳ ପଶୁପତିନାଥ ଓ ଗୁହୈଶ୍ୱରୀ ମନ୍ଦିରରେ ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୂତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଦିନ ୨ଟାରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ। ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

୧୮ରୁ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:-ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆସନ୍ତାକାଲିଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ସାରା ବିଶ୍ବବାସୀ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ, ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି।

ଇଟିଭି ଭାରତ, ପୁରୀ

Last Updated : Jan 11, 2024, 7:10 PM IST

ABOUT THE AUTHOR

...view details