ପୁରୀ: 'ପିଏମ ବିଶ୍ଵକର୍ମା ଯୋଜନା'ର ଶୁଭାରମ୍ଭ ଅବସରରେ ପୁରୀ ଜିଲ୍ଲାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ଵକର୍ମା ପୂଜା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁରୀରେ ମଧ୍ୟ ଶିଳ୍ପକାରମାନଙ୍କୁ ନିଆଯାଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଏମ ମହେନ୍ଦ୍ରଭାଇ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ।
ସମାଜର ଆର୍ଥିକ ଅନଗ୍ରସର ତଥା ବଞ୍ଚିତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ଶୁଭାରମ୍ଭ ହୋଇଛି 'ପିଏମ ବିଶ୍ଵକର୍ମା ଯୋଜନା'। ଏହି ଯୋଜନା ଅନୁଯାୟୀ, ଆମ ଦେଶରେ ଥିବା ୧୮ ପ୍ରକାରର ବିଭିନ୍ନ ପାରମ୍ପରିକ ଶିଳ୍ପକାରମାନଙ୍କୁ ୧୫ ହଜାର ଟଙ୍କାର କିଟ୍ ମାଗଣାରେ ଯୋଗାଇ ଦିଆଯିବ । ସେହିପରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତି ସ୍ବଳ୍ପ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଶିଳ୍ପକାରମାନଙ୍କୁ ରାଷ୍ଟ୍ରୀୟ ସ୍ତରର ଏକକ ପରିଚୟ ପ୍ରଦାନ କରାଯିବ । ଏହାସହ ଶିଳ୍ପକାରମାନଙ୍କ ଦକ୍ଷତା ବିକାଶ ପାଇଁ ଷ୍ଟାଇପେଣ୍ଡ୍ ସହିତ ତାଲିମ୍ ପ୍ରଦାନ କରାଯିବା ନେଇ ଯୋଜନା ରହିଛି । ତେବେ କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ବେଶ ପ୍ରଶଂସା କରିବା ସହ ସ୍ବାଗତ କରିଛନ୍ତି ପୁରୀର ଶିଳ୍ପକାର ।