ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରୁ ଗୋଟିଏ ଯାତ୍ରା ସ୍ନାନଯାତ୍ରା । ନୀଳାଦ୍ରି ମହୋଦୟ ଗ୍ରନ୍ଥ ଅନୁସାରେ ଏହି ଦିବସ ହେଉଛି ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ବା ଜନ୍ମ ଦିବସ । ଏହାକୁ ମଧ୍ୟ ରଥଯାତ୍ରାର ଆଦ୍ୟପର୍ବ ବା ଆଦ୍ୟଲୀଳା କୁହାଯାଏ । ଜ୍ୟେଷ୍ଠମାସ ପୂର୍ଣ୍ଣିମାରେ ଏହି ପର୍ବ ଅନୁଷ୍ଠିତ ହୋଇଥାଏ ।
ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ଆଜି ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି । ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇଥିଲା । ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ ।
ପବତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସକାଳ 7ଟା 30 ରୁ 9 ଟା 30 ମଧ୍ୟରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଜଳ ବିଜେ, ପୂଜା, ସ୍ନାନ ସମ୍ପନ୍ନ ହେବ । ସକାଳ 10.30ରେ ଶ୍ରୀଜିଉଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନବେଦୀରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିବେ । ଏହା ପରେ ଶ୍ରୀଜିଉଙ୍କୁ ହାତୀବେଶରେ ସଜ୍ଜିତ କରାଯିବ । ଦିନ 11ଟାରୁ ଦିନ 12ଟା ମଧ୍ୟରେ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ । ବଡ ଠାକୁର ବଳଭଦ୍ରଙ୍କୁ 33, ଜଗନ୍ନାଥଙ୍କୁ 35, ସୁଭଦ୍ରାଙ୍କୁ 22 ଓ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ବାରା ସ୍ନାନ କରାଯାଏ ।
ସ୍ନାନ ଓ ଗଜାନନ ବେଶ ଦର୍ଶନ ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ 15 ଦିନ ଧରି ଜ୍ବରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।
କୋରୋନା କାରଣରୁ ପୁରୀ ବଡଦାଣ୍ଡରେ କଡା କଟକଣା ଲାଗିଛି । ସମଗ୍ର ପୁରୀ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।