ପୁରୀ: ୟେସ୍ ବ୍ୟାଙ୍କରୁ ଫେରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBI ର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର କରିଛି ୟେସ୍ ବ୍ୟାଙ୍କ । ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି । ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି ।
ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଫେରାଇ ଅଣାଯିବ ବୋଲି ଗତକାଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ । ଶ୍ରୀମନ୍ଦିରର 545 କୋଟି ଟଙ୍କା ୟେସ ବ୍ୟାଙ୍କ ରଖାଯାଇଥିଲା । ଅନ୍ୟପଟେ ରାଜ୍ୟ ଆଇନ ବିଭାଗର ଅନୁମୋଦନ ଅନୁଯାୟୀ ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡ ଏସବିଆଇ ରହିବ । ଅନ୍ୟପଟେ ଶ୍ରୀମନ୍ଦିର ପାଣ୍ଠି ତଥା ଟେମ୍ପୁଲ ଫଣ୍ଡ ଓ କର୍ପସ ଫଣ୍ଡକୁ ଜାତୀୟ କରଣ ବ୍ୟାଙ୍କରେ ରଖାଯିବ । ଏନେଇ ଟେଣ୍ଡର ହେବ ।