ପୁରୀ: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ପୁରୀରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ନିଷ୍ପତ୍ତି । ବାତ୍ୟା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ବଡ ବାନା ଲଗାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁନରା ସେବାୟତଙ୍କୁ ଚିଠି ମଧ୍ୟ କରାଯାଇଛି ।
ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ବଡ ବାନା ସ୍ଥାନରେ 5 ହାତ ଲମ୍ବର ବାନା ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଆବଶ୍ୟକ ପଡିଲେ 5 ହାତ ଲମ୍ବର ଏକ ବାନା ନୀଳଚକ୍ର ପରିଧିରେ ଗୁଡେଇ ବନ୍ଧାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ନୀଳଚକ୍ରର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।