ପୁରୀ: ନୂଆବର୍ଷକୁ ସ୍ବାଗତ ପାଇଁ ସବୁ ଆଡେ ଚାଲିଛି ପ୍ରସ୍ତୁତି । ବାଲୁକା କଳାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନଵବର୍ଷର ଶୁଭେଚ୍ଛା ସାରା ବିଶ୍ବବାସୀଙ୍କୁ ଦେଇଛନ୍ତି।
ବାଲୁକା କଳାରେ ନୂତନ ବର୍ଷର ଶୁଭେଚ୍ଛା ଦେଲେ ବାଲୁକାଶିଳ୍ପୀ ଏଥର ସୁଦର୍ଶନ ଦୁଇଟି ବାଲୁକାକଳା କରି ନଵବର୍ଷର ଶୁଭେଚ୍ଛା ଦେଇଛନ୍ତି। ପ୍ରଥମ ବାଲୁକାକଳାଟି ରହିଛି ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଉପରେ। ଆସନ୍ତା ବର୍ଷ ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପଡୁଛି । ତେଣୁ ନିଜ ବାଲୁକାକଳାରେ ସୁଦର୍ଶନ ସ୍ଥାନ ଦେଇଛନ୍ତି । ଅନ୍ୟଟି ବୃକ୍ଷ ରୋପଣ ସଚେତନ ଉପରେ ରହିଛି ।
ବାଲିରେ ଅତି ନିଖୁଣ ଭାବେ ଏକ ବିଶାଳ ବୃକ୍ଷ ତିଆରି କରିଛନ୍ତି ସୁଦର୍ଶନ। ଆସନ୍ତା 2020 ମସିହାରେ ସମସ୍ତେ ବୃକ୍ଷ ରୋପଣ ନେଇ ସଂକଳ୍ପଵଦ୍ଧ ହେବାକୁ ସେ ଆହ୍ବାନ ଦେଇ ଛନ୍ତି। ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ବବାସୀଙ୍କୁ ଅପାର କରୁଣା ସହିତ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।
ଅନ୍ୟପଟେ ନୂତନ ବର୍ଷରୁ ପ୍ଲାଷ୍ଟିକ ବର୍ଜନ ଆହ୍ବାନ ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ସୁନ୍ଦର ବାଲୁକାକଳା କରିଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ମଙ୍ଗଳମୟ ହେଉ। ସେହିପରି ନୂତନ ବର୍ଷରୁ ରାଜ୍ୟ ବାସୀ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବର୍ଜନ ନେଇ ସଂକଳ୍ପ ନେବାକୁ ବାଲୁକାକଳାରେ ଆହ୍ବାନ ଦିଆଯାଇଛି । ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ପୁରୀ ଆସିଥିବା ପର୍ଯ୍ୟଟକ ଖୁସି ଅନୁଭୂତି ନେଇ ଫେରିବା ପାଇଁ ମହାପ୍ରଭୁଙ୍କ ନିକଟରେ ବାଲୁକା ଶିଳ୍ପୀ ମାନସ ପ୍ରାର୍ଥନା କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ