ପୁରୀ: ଚାଲିଛି ରଥଟଣା । ଆଗେଇ ଆଗେଇ ଚାଲିଛନ୍ତି ବଡଠାକୁର ବଳଭଦ୍ର । ଘର୍ଘର ନାଦ କରି ଗୁଣ୍ଡିଚା ଘର ଅଭିମୁଖେ ତାଳଧ୍ବଜ ରଥ । ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା । ବଡଦାଣ୍ଡରେ ଗଡୁଛି ରଥ । ବିନା ଭକ୍ତରେ ପ୍ରଥମ ଥର ଚାଲିଛି ରଥଟଣା ।
ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଆଗେଇ ଚାଲିଛନ୍ତି ବଡଠାକୁର ବଳଭଦ୍ର ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ସହ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ବଡଠାକୁର ତଥା ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି । କୋରୋନା କଟକଣା ଓ ନିର୍ଦ୍ଦେଶାବଳୀ ଅନୁସାରେ ରଥରେ ମାତ୍ର ୧୦ ଜଣ ସେବାୟତ ରହିଛନ୍ତି । ସେହିଭଳି ଗୋଟିଏ ରଥକୁ ୫୦୦ ଜଣ ଟାଣୁଛନ୍ତି ।
ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ବଜ ନାମରେ ପରିଚିତ। ଏହାର ଉଚ୍ଚତା ୪୩ ଫୁଟ୍ ୩ଇଞ୍ଚ ଅଟେ। ୧୪ଟି ଚକା ଏବଂ ୭୬୩ ଖଣ୍ଡ କାଠରେ ତିଆରି ହୋଇଥାଏ ତାଳଧ୍ବଜ ରଥ। ଏହି ରଥର ରଙ୍ଗ ନାଲି ଓ ସବୁଜ ରଙ୍ଗର ହୋଇଥାଏ। ତାଳଧ୍ବଜ ରଥର ସାରଥୀଙ୍କ ନାଁ ହେଉଛି ଦାରୁକ । ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ବଜ ରଥର ନେତର ନାଁ ଉନ୍ନାନି ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ବାସୁଦେବ । ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ବଜ ରଥକୁ ଟଣା ଯାଇଥାଏ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ