ଓଡିଶା

odisha

ETV Bharat / state

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି - ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରାଜେନ୍ଦ୍ରାଭିଷେକ ନୀତି । ସୁସଜ୍ଜିତ ରଥ ଆରୋହଣ କରି ବେଢା ପରିକ୍ରମା କରିବେ ଶ୍ରୀମଦନମୋହନ । ଅଧିକ ପଢନ୍ତୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

By

Published : May 30, 2023, 11:51 AM IST

Updated : May 30, 2023, 2:12 PM IST

ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀମଦନମୋହନ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟବିଜୟ ଦ୍ବାର ବନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରି ଦିଆଯିବ । ଏହି ସମୟରେ ଗର୍ଭଗୃହରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ । ଆଲଟ ନୀତି ପରେ ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ବୟଂ ପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ କହିବେ ।

ଶ୍ରୀମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟ ମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଘଣ୍ଟ, ଛତା, କାହାଳୀ ବାଜି ବିମାନ ବଡୁମାନେ ଉକ୍ତ ରଥକୁ ବଡ଼ ଦେଉଳର ବେଢା଼ ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି । ଜନୈକ ସେବକ କୁତ କୌତୁକ ଋଷି ଭାବେ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ମାଳି ଦେଇଥିବା ଶୁକ୍ଳ ଫୁଲ ପାଳିଆ ଖୁଣ୍ଟିଆଙ୍କ ଠାରୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବେ ଓ ଶ୍ରୀମଦନମୋହନଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ କରି ତାହାଙ୍କୁ ଦକ୍ଷିଣୀ ଘରକୁ ନେବେ । ଏଠାରେ ଖଟ ଉପରେ ବିଜେ ହେବା ପରେ ଶ୍ରୀମଦନମୋହନଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇଥାଏ । ତତ୍ପରେ ଫୁଲ, ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗରେ ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ବ-ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ଅଭିଷେକ ସମୟରେ ଛତି ଟେକା ଯାଇଥାଏ । ଘଣ୍ଟା, କାହାଳୀ, ମହୁରୀ ବାଜୁଥାଏ । ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ । ତେବେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତିରେ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ଼ ରହିଛି । ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରଯାଇଛି । ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ପର୍ଯ୍ୟାୟ କ୍ରମେ ଛଡ଼ାଯାଉଛି । ଭିଡ଼ ପାଇଁ ଯେଭଳି ଭକ୍ତଙ୍କ କୌଣସି ଅସୁବିଧା ନ ହୁଏ ସେନେଇ ପୋଲିସ ପକ୍ଷରୁ ନଜର ରଖାଯାଇଛି । ଭକ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ, ବୃଦ୍ଧ ଲୋକଙ୍କୁ ନେବା ଆଣିବା ପାଇଁ ହ୍ବିଲଚେୟାରର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : May 30, 2023, 2:12 PM IST

ABOUT THE AUTHOR

...view details