ଓଡିଶା

odisha

ETV Bharat / state

ପରିକ୍ରମା ପ୍ରକଳ୍ପ ଉତ୍ସବ; ପାରମ୍ପରିକ ଚିତ୍ରକଳା ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର - Puri Parikrama Project

Srimandir Parikrama Project: ପାଖେଇ ଆସୁଛି ବହୁ ପ୍ରତିକ୍ଷିତ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏଥିପାଇଁ ନବବଧୂ ଭଳି ସଜେଇ ହେଉଛି ଜଗନ୍ନାଥ ଧାମ । ଅଧିକ ପଢ଼ନ୍ତୁ

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର

By ETV Bharat Odisha Team

Published : Jan 8, 2024, 4:44 PM IST

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର

ପୁରୀ: ନୂଆ ରୂପ ରଙ୍ଗରେ ଝଲସୁଛି ଶ୍ରୀକ୍ଷେତ୍ର । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥ ଗୁଡ଼ିକରେ ଅଙ୍କା ଚାଲିଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଜଗନ୍ନାଥ ଧାମ । ଆଗାମୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଥିବାବେଳେ ଏଥିପାଇଁ ପୁରୀ ସହରକୁ ନବବଧୂ ଭଳି ସଜା ଯାଉଛି । ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁପକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତରେ ଥିବା କାନ୍ଥ ଗୁଡ଼ିକରେ ।

ସେହିପରି ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୁରୀ ସହର । ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍ଇଡି ଲାଇଟ୍‌ରେ ଆକର୍ଷଣୀୟ ଭାବେ ଝଲସୁଛି । ତେବେ ଏଭଳି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା ଏବଂ ରଙ୍ଗୀନ ଆଲୋକମାଳା ଦେଖି ପୁରୀ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କ ସହ ସହରବାସୀ ମଧ୍ୟ ବେଶ ଆନନ୍ଦିତ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ: ଅନ୍ତିମ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ

ସେପଟେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ପୌରାଞ୍ଚଳରେ ଆଜି ଠାରୁ ପରିକ୍ରମା କରିଛି ଅର୍ପଣ ରଥ । ବିଭିନ୍ନ ସାହିକୁ ବୁଲି ଏହି ଅର୍ପଣ ରଥ ଭକ୍ତଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ଭକ୍ତ ତଥା ଜଗନ୍ନାଥପ୍ରେମୀ ମାନେ ମଧ୍ୟ ଅର୍ପଣ ରଥକୁ ଭବ୍ୟ ସ୍ଵାଗତ କରୁଥିବା ବେଳେ ଆନନ୍ଦରେ ଗୁଆ ଏବଂ ଅରୁଆ ଚାଉଳ ଅର୍ପଣ କରୁଛନ୍ତି । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ପୁରୀ ସହରବାସୀ ସେହି ସମୟରେ ଯେଭଳି ଯାତାୟତରେ ଅସୁବିଧା ନଭୋଗନ୍ତି, ବିଶେଷ କରି ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ନେଇ ପୁରୀ ସହର ଏବେ ଚଳଚଞ୍ଚଳ ହୋଇପଡିଥିବା ବେଳେ ଏକ ଉତ୍ସବର ପରିବେଶ ସୃଷ୍ଟି ହେବାକୁ ଲାଗିଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଚାଲିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଓଡ଼ିଶାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଦିବ୍ୟ ଓ ଭବ୍ୟ ମୁହୂର୍ତ୍ତକୁ ଦର୍ଶନ କରିବା ପାଇଁ ଜଗନ୍ନାଥପ୍ରେମୀ ଏବେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details