ପୁରୀ: ‘ଫନି’ ପରେ ଟେନସନରେ ପ୍ରଶାସନ । ଏବେ ବି ଅନେକ ଅଞ୍ଚଳ ରହିଛି, ଯେଉଁଠି ବାତ୍ୟାର ସପ୍ତାହ ପରେ ବି ପହଞ୍ଚିନି ରିଲିଫ । ତେବେ ରିଲିଫ କିଭଳି ସବୁ ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସମୀକ୍ଷା କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଏବେ ସୁଦ୍ଧା ବହୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ଥଇଥାନ ବ୍ୟବସ୍ଥା ସରିଛି । ପଲିଥିନ ଯୋଗାଇ ଦିଆଯିବ ସହ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସମସ୍ତ ପଞ୍ଚାୟତକୁ ଯୋଗାଯୋଗ ସ୍ବାଭାବିକ କରିବାକୁ ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ ।
ଏବେ ପୁରୀରେ 62 ଟି ମେଡ଼ିକାଲ ରିଲିଫ ସେଣ୍ଟର, 22 ଟି ମେଡ଼ିକାଲ ମୋବାଇଲ ଟିମ, 56ଟି ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । 278 ଟି ଆଶ୍ରୟ ସ୍ଥଳରେ ଔଷଧ ଯୋଗାଇ ଦିଆଯାଇଛି । ଅନ୍ୟ ଜିଲ୍ଲାର 22 ଜଣ ଡାକ୍ତରଙ୍କୁ ଚିକିତ୍ସା ସେବା ପାଇଁ ଅଣାଯାଇଛି । 5 ଲକ୍ଷ 81 ହଜାର ହାଲୋଜିନ ବଟିକା ବଣ୍ଟା ଯାଇଛି । 4 ହଜାର ଖୋଲା କୂଅ ଜଳ ବିଶୋଧନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁନରୁଦ୍ଧାର ଚାଲିଛି। ବିଦ୍ୟୁତ ସରବରାହ ପାଇଁ କାମ ଚାଲିଛି। ପୁରୀ ଜିଲ୍ଲାର 11 ଟି ବ୍ଳକ ଓ ସହରାଞ୍ଚଳରେ 3 ଲକ୍ଷ 53 ହଜାର ରାସନ କାର୍ଡଧାରୀ ଅଛନ୍ତି ।
ଆସନ୍ତା ସପ୍ତାହ ଭିତରେ ନଗଦ 2 ହଜାର ଟଙ୍କା ଓ 50 କେଜି ଚାଉଳ ଦିଆଯିବ। ସେହିପରି 15 ସହ 60 ଲିଟର କିରସିନ ମଧ୍ୟ ବଣ୍ଟନ ହେବ । ଏଥିସହ ଯୋଗାଯୋଗ ଓ ଉଦ୍ଧାର ପାଇଁ 23 ଟି ଏନଡିଆରଏଫ୍ ଟିମ ରହିଥିବା ବେଳେ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ