ଓଡିଶା

odisha

ETV Bharat / state

ମାଉସୀ ମା' ମମତା, ପୋଡପିଠାକୁ ଅପେକ୍ଷା କରିଛି କାଳିଆ - bahuda

ମାଉସୀ ମା'ର ପୋଡପିଠାରେ ଥାଏ କାଳିଆ ସାଆନ୍ତେଙ୍କ ଅନୁରାଗ, ବିଶେଷ ଅଭିରୁଚି । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା  ମାଉସୀ ମା ହାତରୁ ପୋଡପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା ।

ଡିଜାଇନ ଫଟୋ

By

Published : Jul 11, 2019, 1:53 PM IST

ପୁରୀ: ମାନବୀୟ ଲୀଳା କରନ୍ତି ଲୀଳାମୟ ନୀଳାଦ୍ରୀ ନାଥ । ଦେବତା ହେଲେ ବି ମଣିଷ ଭଳି ଚଳଣି, ଖାଦ୍ୟପେୟ । ତାଙ୍କୁ ଭୋକ ହୁଏ, ଶୋଷ ହୁଏ, ନିଦ୍ରା ଆସେ । ମଣିଷ ଜୀବନର ଅସୁମାରି ଲକ୍ଷଣ ପ୍ରକାଶ ପାଏ ତାଙ୍କ ରୀତିନୀତିରେ । ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି ଭୋଜନ ପ୍ରିୟ ଭାବଗ୍ରାହୀଙ୍କ ନିମନ୍ତେ । ହେଲେ ମାଉସୀ ମା'ର ପୋଡ ପିଠାରେ ଥାଏ କାଳିଆ ସାଆନ୍ତେଙ୍କ ଅନୁରାଗ , ବିଶେଷ ଅଭିରୁଚି । ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିରକୁ ଲେଉଟନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ବଡଦାଣ୍ଡ ମଧ୍ୟ ଭାଗରେ ବଳ ଗଣ୍ଡି ଛକ । ଏଇଠି ମାଉସୀ ମା ମନ୍ଦିର ରହିଛି । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ଏଣୁ ଦେବୀ ଅର୍ଦ୍ଧାସିନି ଜଗତର ନାଥ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା ମାଉସୀ ମା ହାତରୁ ପୋଡ ପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ପୋଡ ପିଠା ପ୍ରସ୍ତୁତି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ପ୍ରଥମେ ଏକ ମିଶ୍ରଣ ପ୍ରସ୍ତୁତକରାଯାଇଥାଏ। ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ। ହାଣ୍ଡି ଉପରେ ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ। ଏହାପରେ ତାହାକୁ ଥଣ୍ଡା କରାଯାଏ। ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା ମନ୍ଦିର ନିକଟରେ ରଥ ଅଟକିବା ସମୟରେ ପୋଡ ପିଠା ଭୋଗ କରାଯାଇଥାଏ ।

ମା'ଙ୍କ ପୂଜକ ତଥା ପୋଡ ପିଠା ପ୍ରସ୍ତୁତରେ ନିୟୋଜିତ ବିଶ୍ବନାଥ ମିଶ୍ରଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ। ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ବତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ । ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ପିଠା ଖିଆ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତ ମାନେ ଅତି ଆନନ୍ଦର ସହ ଅପେକ୍ଷାରେ ରହିଥାନ୍ତି ।

ମାଉସୀ ମା'ର ସ୍ନେହର ଡୋରି, ବାତ୍ସଲ୍ୟ ମମତା ଆଉ କାଳିଆ ଦିଅଁର ମାଉସୀ ମା' ହାତ ପୋଡ ପିଠା ପାଇଁ ଆସକ୍ତି, ଅନୁରାଗ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହିଁ ଜଗନ୍ନାଥ ସଂସ୍କୃତି ଆଉ ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଅପୂର୍ବ ନିଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details