ଓଡିଶା

odisha

ETV Bharat / state

ଆଜିଠୁ ରାଜ୍ୟରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଓଡିଶାକୁ 8 ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ - ପୁରୀ ରେଳ ଷ୍ଟେସନ

ଆଜିଠୁ ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରେସିଂ ଜରିଆରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM to flag Puri Howrah Vande Bharat Express
PM to flag Puri Howrah Vande Bharat Express

By

Published : May 18, 2023, 7:15 AM IST

Updated : May 18, 2023, 9:44 AM IST

ବନ୍ଦେ ଭାରତ ଏକ୍ସପ୍ରେସ

ପୁରୀ: ଆଜି ଓଡିଶାକୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାଓ୍ବଡା ମଧ୍ୟରେ ଚଳାଚଳ କରିବ ଏହି ଅତ୍ୟାଧୁନିକ ଟ୍ରେନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ଜରିଆରେ ଏହାର ଉଦଘାଟନ କରିବେ । ଏନେଇ ପୁରୀ ରେଳ ଷ୍ଟେସନ ସଜେଇ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅତ୍ୟାଧୁନିକ ଟ୍ରେନ ପୁରୀ, ଯାଜପୁର, ଖୋର୍ଦ୍ଧା, ବାଲେଶ୍ବର ଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନାପୁର ଦେଇ ଯାତାୟତ କରିବ । ସକାଳ 6ଟା 10ରୁ ହାୱଡା ଷ୍ଟେସନରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରେ 12ଟା 25 ମିନିଟରେ ପହଞ୍ଚିବା ପରେ 12ଟା 53 ମିନିଟରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଅପରାହ୍ନ 1 ଟା 50 ମିନିଟରେ ପୁରୀ ଷ୍ଟେସନ ଛାଡିବା ସହ ରାତି ସାଢ଼େ 8ଟାରେ ହାୱଡାରେ ପହଞ୍ଚିବ ।

ତେବେ ପୁରୀରୁ ହାୱଡା ଷ୍ଟେସନ ମଧ୍ୟରେ 7 ଟି ଷ୍ଟପେଜରେ ଏହି ବନ୍ଦେ ଭାରତ ଟ୍ରେନ ରହଣି କରିବ । ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ ଷ୍ଟେସନ ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବାଲେଶ୍ୱର ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏଥିସହ ଖଡ଼ଗପୁର ଷ୍ଟେସନରେ ମଧ୍ୟ ରହଣି କରିବ । ଟ୍ରେନଟି ପ୍ରତ୍ୟେକ ଷ୍ଟେସନରେ 2 ମିନିଟ ଲେଖାଏଁ ରହଣି କରିବ । କେବଳ ଗୁରୁବାରକୁ ଛାଡି ଦେଲେ ସପ୍ତାହକୁ 6 ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ ।

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସମେତ ଆଜି ରାଜ୍ୟରେ 8000 କୋଟି ଟଙ୍କାର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ କାର୍ଯ୍ୟକ୍ରମ ଭାବେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ପୁନଃବିକାଶ ହେଉଥିବା ଷ୍ଟେସନ ଗୁଡିକରେ ଯାତ୍ରୀମାନଙ୍କୁ ବିଶ୍ବସ୍ତରର ଅଭିଜ୍ଞତା ପ୍ରଦାନ କରୁଥିବା ସମସ୍ତ ଆଧୁନିକ ସୁବିଧା ରହିବ । ସେହିପରି ରେଳ ନେଟୱାର୍କର 100 ପ୍ରତିଶତ ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ।

ଏଥିସହ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଅଶଂ ଭାବେ ବିଛୁପାଲି-ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନର ଲୋକାର୍ପଣ କରିବେ ମୋଦି ।

ଇଟିଭି ଭାରତ, ପୁରୀ

Last Updated : May 18, 2023, 9:44 AM IST

For All Latest Updates

ABOUT THE AUTHOR

...view details