ପୁରୀ: ପାଖେଇ ଆସୁଛି ପଞ୍ଚାୟତ ଟକ୍କର । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ଚାରିଆଡେ ବଢିଲାଣି ନିର୍ବାଚନୀ ଉଷ୍ଣତା । ସରଗରମ୍ ହେଲାଣି ପଞ୍ଚାୟତ ପାଣିପାଗ, ତେଜିଲାଣି ରାଜନୈତିକ ଗତିବିଧି । କ'ଣ ରହିଛି ପ୍ରମୁଖ ମୁଦ୍ଦା ସେନେଇ ଗାଁ ଗଣ୍ଡାରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ପୁରୀ ସଦର ବ୍ଲକ ବାଲିଗୁଆଳି ପଞ୍ଚାୟତାବାସୀଙ୍କ ମୁଡ୍ କ'ଣ ରହିଛି ସେନେଇ ଭୋଟରଙ୍କ ପ୍ରତିକ୍ରିୟା ନେଇଛି ଇଟିଭି ଭାରତ ଟିମ୍ ।
ପଞ୍ଚାୟତ ଟକ୍କର: ପୁରୀ ବାଲିଗୁଆଳି ପଞ୍ଚାୟତରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ ଟିମ୍ ଏଥର ବାଲିଗୁଆଳି ପଞ୍ଚାୟତ ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଣୁ ମହିଳା ପ୍ରାର୍ଥୀଙ୍କ ଭିତରେ ଖୁବ୍ ଉତ୍ସାହ ଦେଖାଯାଇଛି । ମହିଳା ସଶକ୍ତିକରଣ ଏବଂ ନିଜ ଅଞ୍ଚଳର ବିକାଶ ନେତୃତ୍ବ ନେବା ପାଇଁ ଏହି ବ୍ୟବସ୍ଥାକୁ ମହିଳା ପ୍ରାର୍ଥୀ ସ୍ବାଗତ କରିଛନ୍ତି । ନିଜ ଅଞ୍ଚଳରେ ରହିଥିବା ସମସ୍ୟାର ସମାଧାନ ପାଇଁ ସେମାନେ ପ୍ରାର୍ଥୀ ହୋଇଥିବା କହିଛନ୍ତି । ସେପଟେ ଭୋଟର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଏବଂ ଅଞ୍ଚଳର ବିକାଶ ନଜରରେ ରଖି ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି ।
ବାଲିଗୁଆଳି ପଞ୍ଚାୟତରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଡ୍ରେନେଜ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଲୋକମାନେ ଗାଁ ଦାଣ୍ଡରେ ପାଣିରେ ଯିବାଆସିବା କରୁଛନ୍ତି । ସେହିପରି କିଛି ସ୍ଥାନରେ ପାଣି ପାଇପ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିରୁଜି ଯାଇଥିବାବେଳେ ଅନେକ ସ୍ଥାନରେ ପାଣି ଆସୁନାହିଁ । ଫଳରେ ପାନୀୟ ଜଳ ଅବ୍ୟବସ୍ଥାକୁ ନେଇ କେତେକ ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ପଞ୍ଚାୟତରେ ଅନେକ ସ୍ଥାନରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକେ ରାତିରେ ଯାତାୟତରେ ଅନେକ ସମସ୍ୟା ଭୋଗୁଛନ୍ତି । ଏଥର ବାଲିଗୁଆଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଭୋଟରମାନେ ଏହାକୁ ସ୍ବାଗତ କରିଛନ୍ତି । ତେବେ ସେ ମହିଳା ହୁଅନ୍ତୁ ଅବା ପୁରୁଷ, ଯିଏ ଜିତିବ ସେ ଅଞ୍ଚଳର ବିକାଶ କରୁ ବୋଲି ଭୋଟର କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଥିବାବେଳେ ସମସ୍ତେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଅପେକ୍ଷାରେ ରହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ