ଓଡିଶା

odisha

ETV Bharat / state

ଘୋଷଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ - ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନେଇ ମକଡ୍ରିଲ

ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ନେଇ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ମକଡ୍ରିଲ । ଅଧିକ ପଢ଼ନ୍ତୁ

puri ratha yatra
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

By

Published : Jun 10, 2023, 8:24 PM IST

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ପୁରୀ: ଆଉ ମାତ୍ର ୯ ଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ।‌ ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ଘନଘନ ସମୀକ୍ଷା ଓ ପ୍ରସ୍ତୁତି ପର୍ବ । ଏହି ପରିପ୍ରେକ୍ଷୀରେ ପୁରୀ ଏସପି କନୱର ବିଶାଳ ସିଂ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାପିଡ଼ ଆକ୍ସନ ଫୋର୍ସଙ୍କ ଡ୍ୟୁଟିର ସମୀକ୍ଷା କରିଛନ୍ତି । ରଥଯାତ୍ରା ସମୟରେ କର୍ଡନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏହାର ଦାୟିତ୍ୱ ନେବେ ରାପିଡ଼ ଆକ୍ସନ ଫୋର୍ସ । ପ୍ରତ୍ୟକ ବର୍ଷ ଦୁଇଟି ଫୋର୍ସର ଆବଶ୍ୟକତା ରହିଥାଏ । ତେବେ ଚଳିତ ବର୍ଷ ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ମୁତୟନ ହେବେ । କର୍ଡନ ଭିତରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇପାରିବ, ମହାପ୍ରଭୁଙ୍କ ପହଣ୍ଡି, ଛେରାପହଁରା ଆଦି ନୀତି ସମୟରେ ବିଭ୍ରାଟ ନହେବ ସେନେଇ ରାପିଡ଼ ଆକ୍ସନ ଫୋର୍ସ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତଙ୍କ ସହ ଉଚ୍ଚାରଣ ଓ ଆଚରଣ ଠିକ ରଖି କିଭଳି ଯାତ୍ରାକୁ ଶୃଙ୍ଖଳିତ କରାଯାଇପାରିବ ସେନେଇ ପ୍ରତିବଦ୍ଧ ରହିଛନ୍ତି ଏହି ରାପିଡ଼ ଆକ୍ସନ ଫୋର୍ସ । ଏହାସହିତ ସାମାନ୍ୟ ଓଡ଼ିଆ ଶିଖି କିଭଳି ଭାବରେ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ସହ ସମନ୍ବୟ ରଖାଯାଇପାରିବ ସେ ବିଷୟରେ ମଧ୍ୟ ସେମାନଙ୍କୁ ନିର୍ଦେଶ ଦିଆଯାଇଛି ।‌ ସେପଟେ ରାପିଡ ଆକ୍ସନ ଫୋର୍ସର ଅଧିକାରୀ କହିଛନ୍ତି, "ସବୁ ବର୍ଷ ଭଳି ମହାପ୍ରଭୁଙ୍କ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ତାହା ରାପିଡ ଆକ୍ସନ ଫୋର୍ସର ମୁଖ୍ୟ ଦାୟିତ୍ଵ । ଭକ୍ତଙ୍କ ସହ ଉତ୍ତମ ବ୍ୟବହାର କରିବାକୁ ରାପିଡ ଆକ୍ସନ ଫୋର୍ସକୁ କୁହାଯାଇଛି ।" ଘୋଷଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ପୋଲିସ ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜନଗହଳି ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ମାନଙ୍କ ଯେଭଳି କୌଣସି ଅସୁବିଧା ନହେବ ଏବଂ କେଉଁ ସ୍ଥାନରେ‌ ନିଜ ନିଜ ଗାଡ଼ି ପାର୍କିଂ କରିପାରିବେ ସେନେଇ ଏକ ଅନିମେଶନ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି ଏଡିଜି କହିଛନ୍ତି । ତେବେ କେବଳ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି। ଅନୁଷ୍ଠିତ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ବର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details