ପୁରୀ:ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । ଝରକା ତାଡ଼ି ଘରେ ପଶି ଲୁଟି ନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ଏଲ୍ଇଡି ଟିଭି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଘଟଣା ଘଟିଛି ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ନିକଟ ନୀଳଚକ୍ର ନଗରରେ । ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତୋଷ ବେହେରା । ପ୍ରାୟ 5ରୁ 6 ଲକ୍ଷ ଟଙ୍କାର ଚୋରି ହୋଇଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।
ସେ ଭଦ୍ରକର ଏକ ଘରୋଇ ଅନୁଷ୍ଠାନରେ ଚାକିରି କରୁଥିବା ବେଳେ ପୁରୀ ନୀଳଚକ୍ର ନଗରରେ ତାଙ୍କ ଝିଅ ଓ ଶାଶୁ ଭଡ଼ା ଘରେ ରହୁଛନ୍ତି । ଗତ ରାତିରେ ଲୁଟେରାମାନେ ତାଙ୍କ ରୋଷେଇ ଘର ଝରକା ତାଡ଼ି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ଗଡ୍ରେଜ୍ ଭାଙ୍ଗି ନଗଦ ଦୁଇଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କାନ୍ଥରେ ଲାଗିଥିବା ଏଲ୍ଇଡି ଟିଭି ଚୋରି କରିନେଇଥିବା ସନ୍ତୋଷ ତାଳବଣିଆ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଲୁଟେରାମାନଙ୍କୁ ଧରିବାରେ ବର୍ତ୍ତମାନ ସୁଦ୍ଧା ପୋଲିସ ସକ୍ଷମ ହୋଇନାହିଁ । ପୁରୀ ସହରରେ ଦିନକୁ ଦିନ ଚୋରି ବଢ଼ୁଥିବା ବେଳେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଲୁଟେରାମାନେ ବିଭିନ୍ନ ସମୟରେ ଘରେ ପଶି ଲୁଟପାଟ୍ କରୁଛନ୍ତି।