ପୁରୀ:ଉଠ ଉଠ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ । କୋଟି ଓଡିଆଙ୍କ ମଉଡ ମଣି ସେ ମହାପ୍ରଭୁ ଜଗନ୍ନାଥ । କାଳିଆ ଠାକୁର ସେ ଭାବ ବିନୋଦିଆ । ନିରାଶର ଆଶା ସେ ଅନାଥର ନାଥ ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ପାଇଁ ସଭିଏଁ ଚାତକ ପରି ଚାହିଁ ରହିଥାନ୍ତି । ବିଶ୍ବାସ ଅଛି ମହାପ୍ରଭୁଙ୍କ ଦର୍ଶନ କରିଲେ ପାପରୁ ମୁକ୍ତି ହୋଇଥାନ୍ତି ।
ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ ।
ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ ।