ପୁରୀ:ଉଠ ଉଠ ମଣିମା ହୁଅ ସଦୟ ଓଁ ନମୋ ଭଗବତେ ବାସୁଦେବାୟ । କୋଟି ଓଡିଆଙ୍କ ମଉଡମଣି ସେ ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର ଭାବ ବିନୋଦିଆ ସେ କଳାଠାକୁର । ତାର ଲିଳା କାହାକୁ ବା ଅଛପା । ନିରାଶର ଆଶା ସେ ଅନାଥର ନାଥ ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ପାଇଁ ସଭିଏଁ ଚାତକ ପରି ଚାହିଁ ରହିଥାନ୍ତି । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ ।
ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନାମ । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ ।