ପୁରୀ:ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଆସିଥିବା ଟ୍ରିବ୍ୟୁନାଲ ଟିମ୍ ଆଜି(ରବିବାର) ପୁରୀ ରାମଚଣ୍ଡୀ ନିକଟରେ ପହଞ୍ଚି କୁଶଭଦ୍ର ନଦୀ ସ୍ଥିତି ପରଖିଛନ୍ତି । ଟ୍ରିବ୍ୟୁନାଲ କୁଶଭଦ୍ରା ମୁହାଣ ବୁଲିବା ସହ ଜଳସ୍ତର ଓ ମୁହାଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲ୍ର ୮ ଜଣିଆ ଟିମ୍ ହେଲିକପ୍ଟର ଯୋଗେ ରାମଚଣ୍ଡୀରେ ପହଞ୍ଚିଥିଲେ । ସେଠାରୁ କୁଶଭଦ୍ରା ମୁହାଣକୁ ଯାଇ ମହାନଦୀର ଶାଖା ନଦୀଗୁଡ଼ିକର ତଳିଆ ଅଞ୍ଚଳରେ କିଭଳି ଜଳ ସ୍ଥିତି ରହିଛି ତାହାର ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ପୁରୀ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ SP, ନିମାପଡା DSP ଟିମ୍ ସହିତ ଉପସ୍ଥିତ ରହିଥିଲେ ।
ଆଜି ଦିନ 11ଟା 30ରେ ଟ୍ରିବ୍ୟୁନାଲ ଟିମ୍ ରାମଚଣ୍ଡୀରେ ପହଞ୍ଚିଥିଲେ । କୁଶଭଦ୍ରା ନଦୀ ସ୍ଥିତି ପରଖିବାକୁ ଲୋଟସ୍ ରିସର୍ଟ ମଧ୍ୟରେ ପ୍ରବେଶ କରି ଜଳସ୍ତର ଅନୁଧ୍ୟାନ କରିଥିଲେ । ଏହାପୂର୍ବରୁ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଗତକାଲି ଚିଲିକା ଗସ୍ତ କରି ସ୍ଥିତି ପରଖି ଥିଲେ । ଟ୍ରିବୁନାଲ୍ ଟିମ୍ ସହିତ ଛତିଶଗଡ଼ର ଏକ ୨୪ ଜଣିଆ ଟିମ୍ ଓ ବିଭିନ୍ନ ଏକ୍ସପୋର୍ଟ ଟିମ୍ ମଧ୍ୟ ଚିଲିକା ଭିତରକୁ ଯାଇଥିଲେ । ଏମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଭିତରକୁ ଯାଇଥିଲେ । ଚିଲିକା ଭିତରେ ପ୍ରାୟ ୩ ଘଣ୍ଟା ରହି ଚିଲିକା ଓ ମୁହାଣ ଅଞ୍ଚଳ ସ୍ଥିତି ବୁଲି ଦେଖିବା ସହ ଚିଲିକାର ଜଳସ୍ତର କିଭଳି ରହିଛି ତାହା ଅନୁଧ୍ୟାନ କରିଥିଲେ ।