ଓଡିଶା

odisha

ETV Bharat / state

ଦିନକ ପରେ ସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ମନ୍ଦିରରେ ଦ୍ଵାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ମହାପ୍ରଭୁଙ୍କ ଦୁର୍ଲଭ ଯାତ୍ରା । ଏହି ଯାତ୍ରାରେ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି । କୁହାଯାଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ଦୁର୍ଲଭ ରୂପ ଦେଖିଲେ କୋଟି ପୂଣ୍ୟ ମିଳିଥାଏ ।

By

Published : Jun 16, 2019, 5:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାରମାସରେ ରହିଛି ତେର ପର୍ବ । ଏହି ପର୍ବ ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସବୁଠାରୁ ଅନନ୍ୟ ଏବଂ ବିଶ୍ବ ପ୍ରସିଦ୍ଧ । ଏବେ ରଥଯାତ୍ରାକୁ 20 ଦିନ ବାକି ରହିଥିବା ବେଳେ ସୋମବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ସେନେଇ ଶ୍ରୀମନ୍ଦିରରେ ଚାଲିଛି ଗୁପ୍ତ ନୀତିକାନ୍ତି । ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆର୍ବିଭାବ ହୋଇଥିବାରୁ ଦେବସ୍ନାନ କରାଯାଇଥାଏ । ତେବେ ସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଗଜାନନ ବେଶରେ ପତିତମାନଙ୍କୁ ଦର୍ଶନ ଦେଇଥାନ୍ତି । ତେଣୁ ଏ ଦର୍ଶନକୁ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପରମ୍ପରା ଅନୁଯାୟୀ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ମହାପ୍ରଭୁଙ୍କ ପାଇଁ ଗଜାନନ ବେଶ ଉପକରଣ ଆସିଥାଏ । ସ୍ନାନ ମଣ୍ଡପରେ ରାଜ ନୀତି ସରିବା ପରେ ଗଜପତି ମହାରାଜ ଛେରା ପହଁରା କରିଥାନ୍ତି । ପରେ ସେବକମାନେ ମହାପ୍ରଭୁଙ୍କ ହାତୀ ବେଶ କରାଇଥାନ୍ତି । ତେବେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଯାହାକୁ ଚତୁର୍ଦ୍ଧା ମୁର୍ତ୍ତୀଙ୍କ ଆଗରେ ରଖାଯିବା ସହ ପଛରେ ମଦ୍ୟ ରଖାଯାଇଥାଏ । ବିଶ୍ବାସ ରହିଛି କି ଗଜାନନ ବେଶରେ ମହାପ୍ରଭୁ ଶୁଣ୍ଢ ବୁଲାଇ ଆଗରେ ଓ ପଛରେ ଥିବା ଭୋଗ ଖାଇଥାନ୍ତି ।

ମନ୍ଦିରରେ ଦ୍ଵାଦଶ ଯାତ୍ରା ମଧ୍ୟରେ ସ୍ନାନଯାତ୍ରା ମହାପ୍ରଭୁଙ୍କ ଦୁର୍ଲଭ ଯାତ୍ରା । ଏହି ଯାତ୍ରାରେ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି । କୁହାଯାଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ଦୁର୍ଲଭ ରୂପ ଦେଖିଲେ କୋଟି ପୂଣ୍ୟ ମିଳିଥାଏ । ତେବେ ଶ୍ରୀଜୀଉଙ୍କ ଏହି ବେଶକୁ ନେଇ ରହିଛି ଏକ ସୁନ୍ଦର କିମ୍ବଦନ୍ତୀ । ଯାହା ପ୍ରମାଣ କରେ ଭକ୍ତ ଡୋରିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବଦା ବନ୍ଧା ।

ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଗଣପତି ଭଟ୍ଟ ନାମକ ଜଣେ ବ୍ୟକ୍ତି ସୁଦୂର ମହାରାଷ୍ଟ୍ରରୁ ଶ୍ରୀକ୍ଷେତ୍ର ଆସିଥିଲେ । ସେ ପ୍ରଭୁ ଜଗନ୍ନାଥଙ୍କ ବଡ ଭକ୍ତ ଥିବାରୁ ନିଜ ପ୍ରଭୁଙ୍କୁ ଗଜାନନ ବେଶରେ ଦେଖିବାର ତାଙ୍କର ଏକ ଇଚ୍ଛା ରହିଥିଲା । ହେଲେ ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ପାରମ୍ପରିକ ବେଶରେ ଦର୍ଶନ ଦେଇଥିଲେ । ଫଳରେ ସେ ନିରାଶ ହୋଇ ଫେରିଯାଉଥିଲେ, କିନ୍ତୁ ହଠାତ୍‌ ଶୂନ୍ୟବାଣୀ ହୁଏ । ଆଉ ଶ୍ରୀମନ୍ଦିର ଫେରି ଆସି ସେ ଦେଖନ୍ତି ଠାକୁରମାନେ ତାଙ୍କ ଇଷ୍ଟ ଦେବତା ଗଣପତିଙ୍କ ରୂପ ଧାରଣ କରିଛନ୍ତି ।

ନିଜ ପ୍ରଭୁଙ୍କୁ ଗଜାନନ ବେଶରେ ଦେଖି ଆତ୍ମବିଭୋର ହୋଇ ଉଠିଥିଲେ ଗଣପତି । ପରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କୁ ଏହି ବେଶରେ ଦର୍ଶନ ଦେବା ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ ଗଣପତି । ତେଣୁ ଭକ୍ତଙ୍କ କାମନା ପୂରା କରିବାକୁ ଯାଇ ପ୍ରତିବର୍ଷ ଗଜାନନ ବେଶରେ ଦର୍ଶନ ଦେବା ପାଇଁ ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା ।

ଯୁଗେ ଯୁଗେ ମହାପ୍ରଭୁ ଭକ୍ତର ଭାବନାକୁ ନେଇ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥାନ୍ତି । ତେବେ ଗଜାନନ ବେଶ ଭଳି ଦୁର୍ଲଭ ବେଶ ଦର୍ଶନ ନେଇ ଏବେ ଅପେକ୍ଷାରେ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details