ଓଡିଶା

odisha

ଅନବସର ଚତୁର୍ଥ ଦିବସ: ଶ୍ରୀଜୀଉଙ୍କ ଚାଲିଛି ଗୁପ୍ତ ସେବା, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରି ତେଲ

By

Published : Jun 7, 2023, 10:37 PM IST

ମହାପ୍ରଭୁଙ୍କ ଭଳି ସମସ୍ତ ଦଇତାପତି ସେବକମାନେ ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଲାଗିଛନ୍ତି। ଗତକାଲି ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି । ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଫିଟାଯାଇଛି । ଏବେ ମହାପ୍ରଭୁଙ୍କୁ ପଥିଭୋଗ ଲାଗି କରାଯାଉଛି । ଅଧିକ ପଢନ୍ତୁ

ଶ୍ରୀଜୀଉଙ୍କ ଚାଲିଛି ଗୁପ୍ତ ସେବା, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରି ତେଲ
ଶ୍ରୀଜୀଉଙ୍କ ଚାଲିଛି ଗୁପ୍ତ ସେବା, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରି ତେଲ

ଶ୍ରୀଜୀଉଙ୍କ ଚାଲିଛି ଗୁପ୍ତ ସେବା, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରି ତେଲ

ପୁରୀ: ଅନବସରର ଚତୁର୍ଥ ଦିବସରେ ଜ୍ଵରରେ ଆକ୍ରାନ୍ତ ଶ୍ରୀଜୀଉଙ୍କ ପାରମ୍ପାରିକ ଉପଚାର ଓ ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ । ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ । ସୁସ୍ଥ ହେବାପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଦ୍ଵାରା ଆଲୋକିତ କରାଯାଇଛି । ମହାପ୍ରଭୁଙ୍କ ଅସୁସ୍ଥତାରେ ଶ୍ରୀମନ୍ଦିରରେ କୋଳାହଳ ବନ୍ଦ ରହିଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତ୍ତନ, ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି । ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକ । ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି ।

ଏହାବି ପଢନ୍ତୁୃ- Ratha Yatra 2023: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ମହାପ୍ରଭୁଙ୍କ ଭଳି ସମସ୍ତ ଦଇତାପତି ସେବକମାନେ ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଲାଗିଛନ୍ତି । ଗତକାଲି ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି । ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଫିଟା ଯାଇଛି । ଏବେ ମହାପ୍ରଭୁଙ୍କୁ ପଥିଭୋଗ ଲାଗି କରାଯାଉଛି । ନାନାଦି ଫଳମୂଳ, କ୍ଷୀର, ଛେନା, ସର ଆଦିରେ ପ୍ରସ୍ତୁତ ଚକଟା ଭୋଗ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଛି । ପରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପଣା ସହ ଫୁଲୁରୀ ତେଲ ଲାଗି ହେବ ।

ଅନ୍ୟପଟେ ଶୁକ୍ଳ ବସ୍ତ୍ର ସହ ଧଳାରଙ୍ଗର ଫୁଲ ବି ଠାକୁରଙ୍କ ନିକଟରେ ଲାଗି ହୋଇଛି । ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ । ତେବେ ଅନବସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଠାରେ ଲାଗି ହେବ ଫୁଲୁରି ତେଲ । ଦଇତାପତି ସେବକମାନେ ଫୁଲୁରି ତେଲ ଲାଗି କରିଥାଆନ୍ତି । ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ବଡ଼ଓଡିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯାଏ ।

ପ୍ରତିବର୍ଷ ଅଣସରରେ ଫୁଲୁରି ତେଲ ଯୋଗାଇ ଦିଆଯାଏ। ଫୁଲୁରି ତେଲ ପ୍ରସ୍ତୁତି ବଡ଼ ଓଡିଆ ମଠ ପକ୍ଷରୁ ହୋଇଥାଏ । ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖା ଯାଇଥାଏ । ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ଅଣସର ପଞ୍ଚମୀ ତିଥିରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାଆନ୍ତି । ଏହି ସ୍ଵତନ୍ତ୍ର ତୈଳ ଲାଗି ପରେ ଶ୍ରୀବିଗ୍ରହ ଧୀରେଧୀରେ ସୁସ୍ଥ ହୋଇଥାଆନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details