ଓଡିଶା

odisha

ପଞ୍ଚୁକ ଚତୁର୍ଦ୍ଦଶୀ ତିଥି, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

By ETV Bharat Odisha Team

Published : Nov 26, 2023, 9:59 AM IST

ପବିତ୍ର ପଞ୍ଚୁକର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରିଛନ୍ତି ଭକ୍ତ । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଅଧିକ ପଢ଼ନ୍ତୁ

ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
Lakshminrasingh besha

ପୁରୀ:କାର୍ତ୍ତିକ ମାସରେ ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଜାରି ରହିଛି । ସ୍ବତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଲକ୍ଷ୍ନୀ ନାରାୟଣ, ବାଙ୍କଚୂଡ଼ ଓ ତ୍ରିବିକ୍ରିମ ବେଶ ପରେ ଲକ୍ଷ୍ନୀ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ପବିତ୍ର ପଞ୍ଚୁକର ଚତୁର୍ଥ ଦିବସରେ ଏହି ସ୍ବତନ୍ତ୍ର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବଡ଼ଠାକୁରଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

ପଞ୍ଚୁକର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି । ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି । ତେଣୁ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିହଂ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି ।

ଏହା ବି ପଢନ୍ତୁ...ପଞ୍ଚୁକର ତ୍ରୟୋଦଶୀ ତିଥି: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ । ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ । ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ପଞ୍ଚୁକ ନୀତି ଆରମ୍ଭ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଟାଉନ ଥାନାଠାରୁ ଅସ୍ଥାୟୀ ବ୍ୟାରିକେଡ୍‌ରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୭ ଅତିରିକ୍ତ ଏସପି, ଡିଏସ୍‌ପି, ଇନ୍ସପେକ୍ଟର, ଏଏସଆଇ ଓ ଏସଆଇଙ୍କ ସହ ୩ଶହରୁ ଊର୍ଦ୍ଧ୍ୱ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ୫୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି ।

ABOUT THE AUTHOR

...view details