ପୁରୀ: ଆଗାମୀ 22 ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ । ଏହିଦିନ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦେଶରେ ଥିବା ପ୍ରମୁଖ ଦେବପୀଠରେ ପହଞ୍ଚି ଏହି କାର୍ଯ୍ୟକ୍ରମ ପାଇଁ ଦେବ ନିମନ୍ତ୍ରଣ କରାଯାଉଛି । ଏହିକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମ କରାଯାଇଛି । ଶ୍ରୀରାମ ମନ୍ଦିର ଅଭ୍ୟର୍ଥନା କମିଟି ସଦସ୍ୟ ମାନେ ନିମନ୍ତ୍ରଣ ପତ୍ର ଆଣି ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି ।
ପରମ୍ପରା ଅନୁଯାୟୀ ଏକ ମାଟି ସରାରେ ଅରୁଆ ଚାଉଳ, ଗୁଆ, ପାନ, ପଇତା, ନଡ଼ିଆ, କପଡ଼ା ସହ ନିମନ୍ତ୍ରଣ ପତ୍ର ରଖାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । ମହାପ୍ରଭୁ ଉକ୍ତ କାର୍ଯ୍ୟରେ ସ୍ଵୟଂ ଉପସ୍ଥିତ ରହି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସଫଳ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ତେବେ ଆଗାମୀ 22 ତାରିଖରେ ଏହି ପବିତ୍ର ଉତ୍ସବରେ ଓଡ଼ିଶାବାସୀ ଘର ନିକଟରେ ଥିବା ଦେବାଳୟରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ସହ ଘରେ ଘରେ ଦୀପ ଜାଳି ଏହି ଉତ୍ସବକୁ ପାଳନ କରିବାକୁ ରାମ ମନ୍ଦିର ଅଭ୍ୟର୍ଥନା କମିଟି ଆହ୍ଵାନ ଦେଇଛନ୍ତି ।