ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପଞ୍ଚୁକ ନୀତି ଆରମ୍ଭ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - ଜଗନ୍ନାଥଙ୍କ ଲକ୍ଷ୍ନୀନାରାୟଣ ବେଶ

ଆଜି ବଡ ଏକାଦଶୀ । ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପଞ୍ଚୁକ ନୀତି
ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

By ETV Bharat Odisha Team

Published : Nov 23, 2023, 7:29 AM IST

Updated : Nov 23, 2023, 10:14 AM IST

panchuka ritual in shreemandir

ପୁରୀ:ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ହୋଇଛି । ବଡ ଏକାଦାଶୀରେ ଶ୍ରୀମନ୍ଦିରେ ମହାପଞ୍ଚକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ଯାଏ ପାଞ୍ଚ ଦିନକୁ ପଞ୍ଚକ କୁହାଯାଏ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଛି । ମହାପ୍ରଭୁଙ୍କୁ ଏହି ସ୍ବତନ୍ତ୍ର ବେଶକୁ ଚର୍ମଚକ୍ଷୁରେ ଦେଖିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି ।

ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀରେ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର । ଏହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀଭୂଜରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳ ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ “ଲକ୍ଷ୍ମୀନାରାୟଣ ” ବେଶ ଆରମ୍ଭ ହୋଇଛି । ଶ୍ରୀଜିଉମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଛି । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଛନ୍ତି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଛନ୍ତି ।

ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୋଇନାହିଁ। ଏତବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ୱର୍ଣ୍ଣକିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ତେବେ ରାଜବେଶରେ ତିନିଗୋଟି ସୁନା କିରୀଟ ଲାଗି ହୁଅନ୍ତି । ଏହି ବେଶ ସ୍ନାନନୀତି ପରେ ଆରମ୍ଭ ହୁଏ ଏବଂ ବାଳଧୂପ ପର୍ଯ୍ୟନ୍ତ ରହେ । କାର୍ତ୍ତିକ ମାସରେ ବାଳଧୂପ କରାଯାଏ। ଏହି ବେଶର ଅନ୍ୟନାମ ହେଲା ଠିଆକିଆ ବେଶ । ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ନାମ ଏପରି କରାଯାଇଛି । ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ । ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି, ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ ।

ଏହା ବି ପଢନ୍ତୁ...ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି । ଶ୍ରୀମନ୍ଦିରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍‌ର ବ୍ୟବସ୍ଥା ମଧ୍ୟ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ୍‌ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସ୍‌ପି, ୧୫୦ ଅଧିକାରୀ, ୪୦ରୁ ଊର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି । ଏଥିସହ ୫୦ରୁ ଉର୍ଦ୍ଧ୍ୱ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 23, 2023, 10:14 AM IST

ABOUT THE AUTHOR

...view details