ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ପବିତ୍ର ଜନ୍ମାଷ୍ଟମୀ, 5 ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ନୀତିକାନ୍ତି । ଏନେଇ ଶୁକ୍ରବାର ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

By

Published : Aug 23, 2019, 12:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡେ ଜନ୍ମାଷ୍ଟମୀ ଉତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସାରା ପରିବେଶ । ଶ୍ରୀକ୍ଷେତ୍ରରେ ମଧ୍ୟ ଗୁରୁବାରଠାରୁ ଆରମ୍ଭ ହୋଇଛି ନୀତିକାନ୍ତି । ତେବେ ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟାରେ ସମ୍ପନ୍ନ ହେବ ମହାପ୍ରଭୁଙ୍କର ଗୁପ୍ତନୀତି । ଏନେଇ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗୁରୁବାର ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ 6 ମୂର୍ତ୍ତୀ ଅଳଙ୍କାର ଲାଗି କରାଯାଇଥିଲା । ସନ୍ଧ୍ୟା ଧୂପ ପରେ ଭିତରେ ପାଣି ପଡି ଜୟ ବିଜୟ ଦ୍ବାର ବନ୍ଦ ହୋଇଥିଲା । ପରେ ପରେ ଟେରାବନ୍ଧା ସାରି ଯେଉଡ ଭୋଗ ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା । ଏହାପରେ ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାଯାଇଥିଲା । ତେବେ 3 ଜଣ ପୂଜା ପଣ୍ଡା ସାମନ୍ତ ପଞ୍ଚୋପଚାରରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ପୂଜା କରିଥିଲେ ।

ପଣ୍ଡା, ପତି ଓ ମୁଦିରସ୍ତ 3 ବାଡରେ ବନ୍ଦାପନା କରିଥିଲେ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରେ ଗୋଟିଏ ଅଧିକ ବନ୍ଦାପନା କରାଯାଇଥିଲା । ଯାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ । ଏହାପରେ ଅନ୍ୟାନ୍ୟ ନୀତି କରାଯାଇଥିଲା । ତେବେ ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ ପାଇଁ 5 ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ସମ୍ପନ୍ନ ହେବାକୁ ଥିବା ନୀତି ଗୁପ୍ତନୀତି ହୋଇଥିବାରୁ ଏହାକୁ ଯେପରି କୌଣସି ସାଧାରଣ ଭକ୍ତ ନଦେଖେ ସେଥିପାଇଁ ଦର୍ଶନକୁ ବନ୍ଦ ରଖାଯାଇଛି ।

ତେବେ ସନ୍ଧ୍ୟା ଧୂପ ପୂଜା ପରଠାରୁ ଅର୍ଥାତ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା । ତେବେ ଏହି ନୀତି ପାଇଁ ଜୟ ବିଜୟ ଦ୍ବାର ବନ୍ଦ କରାଯିବା ସହ ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ସମ୍ପନ୍ନ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details