ପୁରୀ: ବଡ ଓଡିଆ ମଠର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରୀ କରିବା ନିଷ୍ପତ୍ତିକୁ ବିରୋଧ । ପ୍ରଶାସନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆତ୍ମହତ୍ୟା ପାଇଁ ଚେତାବନୀ ଦେଲେ ମଠ ମହନ୍ତ । ଅତିବଡୀ ଜଗନ୍ନାଥ ଦାସଙ୍କ ସାଧନା ପୀଠ ଶ୍ରୀକ୍ଷେତ୍ରର ବଡ ଓଡ଼ିଆ ମଠ । ଶ୍ରୀମନ୍ଦିର ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଏହି ମଠ । ଅଣସର ଘରେ ମହାପ୍ରଭୁଙ୍କ ଜରୁଆ ଶ୍ରୀଅଙ୍ଗରୁ ତାତି ଓହ୍ଲାଇବା ପାଇଁ ଫୁଲୁରି ତେଲ ଯୋଗାଇଥାଏ ଏହି ମଠ । ମହାପ୍ରଭୁଙ୍କ ପାଇଁ ଅଧର ହାଣ୍ଡି ବି ଏହି ମଠ ଯୋଗାଇଥାଏ । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖ ବାସେଳୀ ସାହି ମୌଜାର ୫୦୦ ବର୍ଷ ପୁରୁଣା ମଠକୁ ଜାଲ ଇଚ୍ଛାପତ୍ର କରି ହାତେଇବାକୁ ଚାଲିଛି ଷଡ଼ଯନ୍ତ୍ର । ଏଭଳି ଅଭିଯୋଗ ଆଣିଛନ୍ତି ମଠର ବର୍ତ୍ତମାନର ମହନ୍ତ ଅଧିକାରୀ ବଂଶୀଧର ଦାସ ।
ଓଡ଼ିଆ ଭାଗବତ ଓ ଓଡ଼ିଆ ସାହିତ୍ୟକୁ ପୁରପଲ୍ଲୀରେ ପ୍ରଚାର କରିବାର ପ୍ରମୁଖ ଦାୟିତ୍ବ ନେଇଥିବା ବଡ଼ ଓଡିଆ ମଠର ପ୍ରାୟ ୩୭ ଡିସିମଲ ଅଂଶ ଏବେ ବିକ୍ରି ହେବ । ଗତ ପରିଚାଳନା ବୈଠକରେ ଏନେଇ ହୋଇଛି ଆଲୋଚନା । ଏହି ମଠ ଅଧୀନରେ ଥିବା ୬୧୬ ଓ ୬୧୭ ପ୍ଲଟର ୩୭ ଡିସିମଲ ଜାଗାକୁ ଏକ ନିଯୋଗକୁ ଟେକିଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପୂର୍ବରୁ ଦୁଇଦୁଇ ଥର ଏନେଇ ଆଲୋଚନା ହୋଇଥିବା ବେଳେ କିଛି ସଦସ୍ୟଙ୍କ ବିରୋଧ ଯୋଗୁଁ ସମ୍ଭବ ହୋଇପାରିନଥିଲା । ପୁଣି ଏନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି ।