ପୁରୀ: ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା କୋଲକାତା ଏୟାର ପୋର୍ଟରେ ଖତ ଖାଉଥିବା ବେଳେ ଏହାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ କବାଡିବାଲାଙ୍କୁ ବିକ୍ରି କରିବାକୁ ଯୋଜନା ଚଳାଇଛି। ଏନେଇ ଜଗନ୍ନାଥ ସେନା ଆଜି ପୁରୀ ଅର୍ବାନ ହାଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୁ ପଟ୍ଟନାୟକଙ୍କ ବିମାନକୁ କୋଲକାତାରୁ ଫେରାଇ ଆଣିବାକୁ ଦାବି କରିଛି।
ଏହାସହ ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପୁରୀରେ ଏକ ମ୍ୟୁଜିୟମ କରାଯାଉ। ପୁରୀ ଅର୍ବାନ ହାଟରେ ବିଜୁ ସ୍ମୃତି ହିସାବରେ ଏହାକୁ ରଖିବା ସହ ସ୍ବର୍ଗ ଦ୍ବାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ମଧ୍ୟ ଅର୍ବାନ ହାଟରେ ସ୍ଥାପନା କରାଯାଉ।
ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ଯେ, ବିଜୁଙ୍କ ପ୍ରିୟ ବିମାନକୁ ଆଣିବାକୁ ଜଗନ୍ନାଥ ସେନା ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। ଯେଉଁଥିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗ୍ରହଣ କରି ଜଗନ୍ନାଥ ସେନାକୁ ଏହି ବିମାନ ନେବାକୁ ଅନୁମତି ଦେଇଛନ୍ତି ବୋଲି ଜଗନ୍ନାଥ ସେନା ଦାବି କରିଛି।
ବିଜୁବାବୁଙ୍କ ବିମାନ ଆଣିବାକୁ ଜଗନ୍ନାଥ ସେନାର ଦାବି ତେବେ ଗତ 2017 ମସିହାରେ ଓଡିଶା ସରକାରଙ୍କୁ ଏହି ବିମାନ ନେବା ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଓଡିଶା ସରକାରଙ୍କୁ ଅନୁମତି ଦେଇଥିବାବେଳେ କାହିଁକି ରାଜ୍ୟ ସରକାର ବିଜୁଙ୍କ ପ୍ରିୟ ବିମାନକୁ ଆଣୁ ନାହାଁନ୍ତି ତାକୁ ନେଇ ଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି। ତୁରନ୍ତ ଓଡ଼ିଶାର ବର ପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରିୟ ତଥା ସ୍ମୃତି ବିମାନକୁ କୋଲକାତାରୁ ପୁରୀ ଆଣି ଏକ ମ୍ୟୁଜିୟମ କରି ସଂରକ୍ଷିତ କରିବାକୁ ଜଗନ୍ନାଥ ସେନା ଦାବି କରିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ