ଓଡିଶା

odisha

ETV Bharat / state

ସୁସ୍ଥ ହେଲେ ମହାପ୍ରଭୁ, ରାଜପ୍ରସାଦ ବିଜେ କଲେ ଦଇତାପତି - ପୁରୀ

11ଦିନ ଧରି ଜ୍ବରରେ ପୀଡିତ ହେବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଏହି ସୁସମ୍ବାଦ ନେଇ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜଙ୍କ ନିକଟକୁ ରାଜପ୍ରସାଦ ବିଜେ କରିଛନ୍ତି ଦଇତାପତି ସେବାୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 30, 2019, 9:19 PM IST

ପୁରୀ: 11ଦିନ ଧରି ଜ୍ବରରେ ପୀଡିତ ହେବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଏହି ସୁସମ୍ବାଦ ନେଇ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜଙ୍କ ନିକଟକୁ ରାଜପ୍ରସାଦ ବିଜେ କରିଛନ୍ତି ଦଇତାପତି ସେବାୟତ । କରାଳ, ଚନ୍ଦନ, ପାଟଖଣ୍ଡୁଆ ନେଇ ଦଇତାପତି ମାନେ ଶ୍ରୀନଅରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଛି । ଏଥିସହ ଚଳିତ ବର୍ଷର ଘୋଷଯାତ୍ରାକୁ ସୁସଙ୍ଗଠିତ ଭାବେ ସମ୍ପାଦନ କରିବା ପାଇଁ ଦଇତାପତିଙ୍କୁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କିମ୍ବଦନ୍ତୀ କୁହେ ଆଷାଢ ଶୁକ୍ଳ ଦ୍ବାଦଶୀ ତିଥି ତଥା ରାଜପ୍ରସାଦ ବିଜେ ଅବସରରେ ଅଣସର ଘରେ ପୀଡିତ ମହାପ୍ରଭୁ ଦୀର୍ଘ 11 ଦିନ ପରେ ସୁସ୍ଥ ହୋଇ ଚକା ବିଜେ କରନ୍ତି । ତେବେ ରବିବାର ଏହି ଶୁଭ ଖବର ସହ ମହାପ୍ରଭୁଙ୍କର ଶ୍ରୀଅଙ୍ଗରୁ ବାହାରିଥିବା ସମସ୍ତ ଦ୍ରବ୍ୟକୁ ନେଇ ରାଜପ୍ରସାଦ ବିଜେ କରିଛନ୍ତି ଦଇତାପତି ସେବାୟତ । ସ୍ନାନ ପୂର୍ଣ୍ଣିମାଠାରୁ ନିବୃତ କନ୍ଦର ମଧ୍ୟରେ ଜ୍ବରରେ ପୀଡିତ କାଳିଆ ସାଆନ୍ତଙ୍କ ଏହି ଦିନ ସୁସ୍ଥ ହୁଅନ୍ତି ।

ପ୍ରଥମେ ଫୁଲୁରୀ ତେଲ ଓ ପରେ ଓଷ ଲାଗି କରାଯିବା ପରେ ଶେଷରେ ବୈଦ୍ୟରାଜଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସୁସ୍ଥ ଅନୁଭବ କରି ଚକାବିଜେ କରନ୍ତି । ମହାପ୍ରଭୁଙ୍କ ଏହି ଗୁପ୍ତ ସେବାରେ କୁଳଶ୍ରେଷ୍ଠ ଦଇତାପତି ସେବାୟତମାନେ ନିମଗ୍ନ ଥିବା ବେଳେ ରବିବାର ଗଜପତି ମହାରାଜଙ୍କ ନିକଟକୁ ମହାପ୍ରଭୁଙ୍କର ଶରୀର ସୁସ୍ଥ ନେଇ ଖବର ପହଞ୍ଚିଛି ।

ପାଟ ପଟୁଆରରେ ଦଇତାପତି ସେବାୟତମାନେ ଶ୍ରୀନଅରରେ ପହଞ୍ଚିବା କ୍ଷଣି ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ ଗଜପତି ମହାରାଜ । ଏହାପରେ ଦଇତାପତି ସେବାୟତ ଆଣିଥିବା କରାଳ, ଚନ୍ଦନ ଓ ପାଟଖଣ୍ଡକୁ ଗଜପତି ମହାରାଜଙ୍କୁ ଦେବା ପରେ ଆରମ୍ଭ ହୋଇଥିଲା ଶାଢୀବନ୍ଧା କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦଇତାପତି ସେବାୟତମାନଙ୍କ ସହ କୁନି କୁନି ଦଇତାପତିମାନେ ମଧ୍ୟ ମୁଣ୍ଡରେ ଶାଢୀ ବାନ୍ଧିଥିଲେ । ଏହାପରେ ଆସନ୍ତା ଘୋଷଯାତ୍ରାକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେନେଇ ଗଜପତି ମହାରାଜଙ୍କ ସହ ଆଲୋଚନା କରାଯାଇଥିଲା ।

ତେଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ମହାପ୍ରଭୁଙ୍କୁ ସୋମବାର ଘଣା ଲାଗି କରାଯିବା ସହ ମଙ୍ଗଳବାର ବନକ ଲାଗି କରାଯିବ । ଏହାପରେ ନେତ୍ରୋତ୍ସବରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details