ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ଏପଟେ ଆଜି ପ୍ରଭୁ ଅଲାରନାଥଙ୍କ ଶେଷ ଅଣସର ଦର୍ଶନ । ଏଥିପାଇଁ ପ୍ରଭୁ ଅଲାରନାଥଙ୍କ ପୀଠ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସି ଅଲାରନାଥ ପୀଠରେ ଭିଡ଼ ଜମାଇଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନ ଯାତ୍ରା ପରେ ଅଣସର ଘରେ ଅବସ୍ଥାନ କରିଛନ୍ତି । ପରମ୍ପରା ଅନୁଯାୟୀ ଅଣସରରେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କୁ ଭକ୍ତ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ବର୍ଷ ତମାମ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ଅଣସରରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଣୁ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ପୁରୀ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ ଥିଲା । ରାଜ୍ୟ ବାହାରୁ ମଧ୍ୟ ବହୁ ଜଗନ୍ନାଥପ୍ରେମୀ ବ୍ରହ୍ମଗିରି ଆସି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଥିଲେ ।
ପ୍ରତିଦିନ ଭୋର 4ଟାରୁ ମନ୍ଦିର ଖୋଲିବା ପରେ ପ୍ରଭୁ ଅଲାରନାଥଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିଲା । ପରେ ଭକ୍ତଙ୍କ ପାଇଁ ସକାଳୁ ଦର୍ଶନ ଆରମ୍ଭ ହେଉଥିଲା । ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ପ୍ରସିଦ୍ଧ ଖିରି ଭୋଗ ପ୍ରସାଦ ରୂପେ ଭକ୍ତମାନେ ପାଉଥାନ୍ତି । ଶେଷ ଦିବସରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ନୀତିକାନ୍ତି ଶୃଙ୍ଖଳିତ ହେବା, ଭକ୍ତଙ୍କ ଦର୍ଶନ ନେଇ ସମସ୍ତ ସୁବିଧା କିଭଳି ହୋଇପାରିବ ଅଲାରନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇ ବେଶ ଭାବବିହ୍ଵଳିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।