ଓଡିଶା

odisha

ETV Bharat / state

ବିରାଜିବେ ବିଘ୍ନରାଜ, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର - ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଦିନକ ପରେ ଧରାପୃଷ୍ଠରେ ଅବତରଣ କରି ଲୋକଙ୍କ ବିଘ୍ନହାରିବେ ବିଘ୍ନହରତା । ଏନେଇ ପୁରୀର ବିଭିନ୍ନ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପ୍ରତିମାକୁ ଶିଳ୍ପୀ ଶେଷ ସ୍ପର୍ଶ ଦେଉଥିବା ବେଳେ ସାଜସଜ୍ଜା ଆରମ୍ଭ ହୋଇଗଲାଣି । ଅଧିକ ପଢନ୍ତୁ

ganesh puja preparation
ganesh puja preparation

By ETV Bharat Odisha Team

Published : Sep 17, 2023, 8:26 AM IST

ବିରାଜିବେ ବିଘ୍ନରାଜ

ପୁରୀ: ଧରାପୃଷ୍ଟରେ ବିରାଜିବେ ବିଘ୍ନ ବିନାଶକ ଗଜାନନ ଶ୍ରୀଗଣେଶ । ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ଜୋରଦାର ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆକର୍ଷଣୀୟ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ବିଘ୍ନରାଜଙ୍କ ପ୍ରତିମାକୁ ଶିଳ୍ପୀ ଶେଷ ସ୍ପର୍ଶ ଦେଉଥିବା ବେଳେ ସାଜସଜ୍ଜା ଆରମ୍ଭ ହୋଇଗଲାଣି ।

ପୁରୀ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଗଳିକନ୍ଦି,‌ ବିଭିନ୍ନ ବଜାର କମିଟି, କ୍ଲବ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ପାଳନ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଆସନ୍ତା ୧୯ ତାରିଖରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହେବ । ଆଧ୍ୟାତ୍ମିକ ନଗରୀ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ସହ ପାର୍ବଣ ଋତୁ ଆରମ୍ଭ ହେବ । ଏହି ସମୟରେ ପୁରୀକୁ ହଜାର ହଜାର ପର୍ଯ୍ୟଟକ ଭ୍ରମଣରେ ଆସି ଗଣେଶ ପୂଜାରେ ସାମିଲ ହୋଇଥାନ୍ତି । ତେଣୁ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟା ସମୟରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଭଜନ ସନ୍ଧ୍ୟା, ମେଲୋଡି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରସ୍ତୁତି ହୋଇଛି । ଆସନ୍ତା ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।

ଏନେଇ ପୂଜା ପର୍ବାଣୀ ସମୟରେ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।‌ ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ସିସିଟିଭି ସ୍ଥାପନ କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା, ଶବ୍ଦ ପ୍ରଦ୍ୟୁଷଣ ନକରିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରୋସେସନ ପୂର୍ବରୁ ପୋଲିସ ଠାରୁ ଅନୁମତି ନେବା ନେଇ ଆଲୋଚନା ହୋଇଥିବା କହିଛନ୍ତି ପୁରୀ ଏସପି।

ଏହା ମଧ୍ୟ ପଢନ୍ତୁ-ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି: ମାଟିରେ ତିଆରି କରି ହଳଦୀ ଓ କୁଙ୍କୁମରେ ରଙ୍ଗ କଲେ ଛାତ୍ରଛାତ୍ରୀ

ସେହିପରି ପୂଜା ସମୟରେ ଅପରାଧ ଓ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ସମସ୍ତ ଥାନା ଅଞ୍ଚଳରେ ବ୍ୟାପକ ପାଟ୍ରୋଲିଂ, ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ କରାଯିବା ନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ଗଣେଶ ପୂଜା ପାଳନକୁ ନେଇ ପୁରୀ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପୂଜାକୁ ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହ ବିଭିନ୍ନ ଅଞ୍ଚଳରେ ହେଉଥିବା ଅପରାଧ ସମ୍ପର୍କରେ ତୁରନ୍ତ ଖବର ଦେବା ସହ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଏବଂ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ପୁରୀ ପୋଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details