ପୁରୀ:ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ । ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ 102 ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଶନିବାର ସନ୍ଧ୍ୟା 6ଟା 25 ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା । ପିଲାଟୁ ଦିନରୁ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ସୁଲକ୍ଷଣା । ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ,''ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଭୂମିକା ସବୁବେଳେ ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି । ''
ଏହା ମଧ୍ୟ ପଢନ୍ତୁ-ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ମହିମା ଧାମ ଅଙ୍ଗାରବନ୍ଧ
freedom fighter sulakhyana mohapatra passes away
ସୁଲକ୍ଷଣାଙ୍କ ସ୍ବାମୀ ସ୍ବର୍ଗତ ହରିହର ମହାପାତ୍ର ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଖୁବ କମ ବୟସରୁ ଉଭୟ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏବଂ ଆନ୍ଦୋଳନରେ ସାମିଲ୍ ହେବାକୁ ଲୋକଙ୍କୁ ଚେତାଉ ଥିଲେ । 2013 ଅଗଷ୍ଟ 9 ତାରିଖରେ ସୁଲକ୍ଷଣା ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଥିଲା ।
ମହାତ୍ମା ଗାନ୍ଧୀ ଯେତେବେଳେ ପୁରୀର ଡେ଼ଲାଙ୍ଗ ବେରବୋଇ ଆସିଥିଲେ ସେ ଗାନ୍ଧିଜୀଙ୍କୁ ଭେଟି ସ୍ଵାଧୀନତା ସଂଗ୍ରାମ ପାଇଁ ନିଜର ସମସ୍ତ ସୁନା ଗହଣା ଦାନ କରିଥିଲେ । ମହିଳା ମାନଙ୍କ ପାଇଁ ସେତେବେଳେ ଅନେକ ସାମାଜିକ କଟକଣା ଥିବା ବେଳେ ତାକୁ ଖାତିର ନ କରି ସେ ଘରୁ ବାହାରି ସ୍ଵାଧୀନତା ଆନ୍ଦୋଳନ ଓ ଗାନ୍ଧୀଙ୍କ ଆଦର୍ଶ ନେଇ ଅଭିଯାନ ଚଳାଇଥିଲେ । ରମାଦେବୀଙ୍କ ନିର୍ଦ୍ଦେଶରେ ସୁଲକ୍ଷଣା ମହାପାତ୍ର ଗାଁ ଗାଁ ବୁଲି ଚରଖାର ବ୍ୟବହାର ଓ ସୂତା କାଟିବା ନେଇ ଲୋକଙ୍କୁ ଶିଖାଇଥିଲେ ।
ଶନିବାର ତାଙ୍କ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି । ପରିବାର ଲୋକ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସୁଲକ୍ଷଣାଙ୍କ ଶେଷକୃତ୍ୟପରେ ପୁରୀର ସ୍ବର୍ଗ ଦ୍ବାରରେ ସଂପନ୍ନ ହୋଇଛି । ତାଙ୍କ ଦୁଇ ପୁଅ ଗୌରୀ ଶଙ୍କର ମହାପାତ୍ର ଓ ଦୂର୍ଗା ମହାପାତ୍ର ମୁଖାଗ୍ନି ଦେଇ ଥିଲେ । ଅନ୍ତିମ ଦର୍ଶନ ନେଇ ସ୍ବର୍ଗଦ୍ଵାର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଭିଡ଼ ଲାଗିଥିଲା ।
ଇଟିଭି ଭାରତ, ପୁରୀ