ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ବିଚିତ୍ର ଲୀଳା; ବିଦେଶୀ ଭକ୍ତକୁ କଲେ ଉଦ୍ଧାର, ବୃନ୍ଦାବନରୁ ଚାଲି ଚାଲି ଆସିଲେ

ବିଦେଶୀ ଭକ୍ତଙ୍କ ମନର ବେଦନା ଶୁଣିଲେ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ । ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

By

Published : Aug 7, 2023, 8:24 PM IST

Updated : Aug 8, 2023, 3:25 PM IST

Foreign devotee shares glory of Lord Jagannath
Foreign devotee shares glory of Lord Jagannath

ମହାପ୍ରଭୁଙ୍କ ବିଚିତ୍ର ଲୀଳା; ବିଦେଶୀ ଭକ୍ତକୁ କଲେ ଉଦ୍ଧାର, ବୃନ୍ଦାବନରୁ ଚାଲି ଚାଲି ଆସିଲେ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବିଶ୍ବ ବିଦିତ । ଥରେ ଯିଏ ମହାପ୍ରଭୁଙ୍କ ସଂସ୍ପର୍ଶରେ ଆସିଛି ସେ ସବୁ ବାଧାବିଘ୍ନକୁ ପଛରେ ପକାଇଛି । ଭକ୍ତ ବତ୍ସଳ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କୁ ସବୁ ବାଧାବିଘ୍ନରୁ ରକ୍ଷା କରିଥାନ୍ତି । ଏହାର ଅନନ୍ୟ ଉଦାହରଣ ସାଜିଛନ୍ତି ସୁଦୂର କିରଗିଜସ୍ତାନର ଯୁବକ ଉଲ୍ଲୁକ୍ ବେକ୍ । ମହାପ୍ରଭୁ ତାଙ୍କ ଡାକ ଶୁଣିଥିବା କହିଛନ୍ତି ଏହି ବିଦେଶୀ ଭକ୍ତ ।

ଏହି ବିଦେଶୀ ଯୁବକ ଜଣକ ପେଶାରେ ଜଣେ ଇଞ୍ଜିନିୟର । ଉଲ୍ଲୁକଙ୍କ ପିତା ଜଣେ ଇସ୍କନ ଭକ୍ତ ହୋଇଥିବା ବେଳେ ସେ ମଧ୍ୟ ପିଲାଟି ଦିନରୁ ଜଗନ୍ନାଥ ସଂସ୍କୃତି ପ୍ରତି ସ୍ବତନ୍ତ୍ର ଭଲ ପାଇବା ରଖିଛନ୍ତି । ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଦୂର ବୃନ୍ଦାବନରୁ ଦୀର୍ଘ ୩ ମାସ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛନ୍ତି । ତେବେ ତାଙ୍କର ବଡ଼ ସମସ୍ୟା ହେଉଛି ତାଙ୍କ ଭିସାଟି କେଉଁଠି ହଜିଯାଇଥିଲା । ପାଖରେ ତାଙ୍କର ଟଙ୍କା ନଥିବାରୁ ସେ ଘରକୁ ମଧ୍ୟ ଯାଇପାରିନଥିଲେ । ଏହି ଦୁଃଖ ସେ ମହାପ୍ରଭୁଙ୍କୁ ଜଣାଇବା ପରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୀ ସମୁଦ୍ର କୂଳ ଥାନା ଅଧିକାରୀ ଉଲ୍ଲୁକଙ୍କୁ ଉଦ୍ଧାର କରି ସର୍ବୋଦୟ ନଗରରେ ଥିବା ଏକ ସେଲ୍ଟର ହୋମରେ ରଖିଛନ୍ତି । ହାଇଦ୍ରାବାଦ ସ୍ଥିତ ପାସପୋର୍ଟ ଅଫିସ ସହ ପୋଲିସ ଯୋଗାଯୋଗ କରି ତାଙ୍କୁ ତାଙ୍କ ନିଜ ଦେଶ କିରଗିଜସ୍ତାନକୁ ଛାଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ସବୁ ସମସ୍ୟାର ସମାଧାନ ମହାପ୍ରଭୁଙ୍କ ଦ୍ବାରା ହୋଇଥିବା କୋହଭରା କଣ୍ଠରେ କହିଛନ୍ତି ଏହି ବିଦେଶୀ ଭକ୍ତ ।

କେମିତି ଆସିଲେ ଭାରତ ?:-ଉଲ୍ଲୁକ୍ ବେକଙ୍କ ଭାରତ ଆସିବା କାହାଣୀ କୌଣସି ସିନେମା କାହାଣୀ ଠାରୁ କମ ନୁହେଁ। ସନାତନ ଧର୍ମକୁ ସେ ଗ୍ରହଣ କରି ନିଜ ଦେଶ, ଘର, ପରିବାର, ଉଚ୍ଚ ବେତନ ଚାକିରି ଛାଡ଼ି ଜଗନ୍ନାଥଙ୍କୁ ପାଇବା ଆଶାରେ ସେ ୨୦୧୭ରେ ଭାରତ ଚାଲି ଆସିଥିଲେ। ନୂଆଦିଲ୍ଲୀରେ ଥିବା ଏକ ଆଶ୍ରମରେ ରହି ସେ ଇସ୍କନକୁ ଆପଣାଇ ନେଲେ। ଏହି ଆଶ୍ରମରେ ୪ବର୍ଷ ବିତାଇବା ପରେ ସେ ବୃନ୍ଦାବନ ଚାଲି ଆସିଥିଲେ। ଦେଶର ଅନେକ ତୀର୍ଥସ୍ଥଳ ମଧ୍ୟ ସେ ଭ୍ରମଣ କରିଛନ୍ତି। ତେବେ ବୃନ୍ଦାବନରେ ଥିବା ସମୟରେ ତାଙ୍କର ଭିସା ଓ ଜରୁରୀ କାଗଜପତ୍ର ହଜିଯାଇଥିଲା। ଘରକୁ ଫେରିଯିବା ପାଇଁ ଇଚ୍ଛା କରିଥିଲେ ମଧ୍ୟ ଭିସା ଓ ପାଖରେ ଟଙ୍କା ନଥିବାରୁ ସେ ଯାଇପାରିନଥିଲେ ।

ଏହା ବି ପଢନ୍ତୁ- ପୁଣି କ୍ଷୀର ଶୋଷିନେଲେ ମହାପ୍ରଭୁ, ଦେଖନ୍ତୁ ଭିଡିଓ

ଭିସା ଫେରି ପାଇବା ସହ ଟିକେଟ ଖର୍ଚ୍ଚ ବାବଦକୁ ତାଙ୍କୁ ୫୦ ହଜାରରୁ ଅଧିକ ଟଙ୍କା ଆବଶ୍ୟକ ଥିଲା । ତେଣୁ ସେ ପୁରୀ ଆସି ପ୍ରଭୁ ଜଗନ୍ନାଥଙ୍କୁ ନିଜ ଦୁଃଖ ଜଣାଇବା ପାଇଁ ମନସ୍ଥ କରିଥିଲେ। ପାଖରେ ଟଙ୍କା ନଥିବାରୁ ସେ ଗତ ମେ' ମାସରୁ ବୃନ୍ଦାବନରୁ ଚାଲି ଚାଲି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଗତ ସପ୍ତାହରେ ସେ ପୁରୀରେ ପହଞ୍ଚିଥିବା ବେଳେ ଟଙ୍କା ରୋଜଗାର ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପାଣି ବୋତଲ ବିକ୍ରି କରିବା ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀ ଏହା ଜାଣିବା ପରେ ପୁରୀ ପୋଲିସର ସହାୟତା ନେଇ ଉଲ୍ଲୁକଙ୍କୁ ଉଦ୍ଧାର କରିଥିଲେ।

ତେବେ ଶେଷରେ ଉଲ୍ଲୁକ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ବେଳେ ଏହା ମହାପ୍ରଭୁଙ୍କ ଲୀଳା ବୋଲି ସେ କହିଛନ୍ତି। ଉଲ୍ଲୁକଙ୍କ ପରିବାରରେ ୨ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ହେଲେ ଦୀର୍ଘ ବର୍ଷ ହେବ ପରିବାର ସହ ତାଙ୍କର କୌଣସି ଯୋଗାଯୋଗ ନଥିବାରୁ ବାପା ମାଆ ଏବଂ ତାଙ୍କ ଭାଇ ଭଉଣୀ ଏବେ କେମିତି ଅଛନ୍ତି ସେ ଜାଣିନାହାନ୍ତି । ତାଙ୍କ ମନର ବେଦନାକୁ ମହାପ୍ରଭୁ ଶୁଣିଥିବା ବେଳେ ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ସେ ଏବେ ନିଜ ପରିବାର ସହିତ ପୁଣି ଯୋଡ଼ି ହେବାକୁ ଯାଉଥିବା ବେଶ ଆନନ୍ଦର ସହିତ କହିଛନ୍ତି। ଉଲ୍ଲୁକଙ୍କ ସଂଘର୍ଷମୟ କାହାଣୀ ପୁଣି ପ୍ରମାଣିତ କରିଛି ଯେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ଅଭାବ, ଅସୁବିଧା ପୁରଣ ଦିଗରେ କାଳିଆ ଠାକୁର ସବୁବେଳେ ଭକ୍ତ ସହିତ ଛାଇ ଭଳି ପଛରେ ଠିଆ ହୋଇ ରହିଛନ୍ତି।

ଇଟିଭି ଭାରତ, ପୁରୀ

Last Updated : Aug 8, 2023, 3:25 PM IST

ABOUT THE AUTHOR

...view details