ଓଡିଶା

odisha

ETV Bharat / state

ଅସୁରକ୍ଷିତ ରେଳଯାତ୍ରୀ, ଷ୍ଟେସନରେ ଜଳିଗଲା ତପସ୍ବିନୀ - puri news

ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀରେ ପହଞ୍ଚିବା ପାଇଁ ଟ୍ରେନ ଉପରେ ନିର୍ଭର କରନ୍ତି ଶହଶହ ଯାତ୍ରୀ । କିନ୍ତୁ ଆଜି ଦ୍ୱିପ୍ରହରରେ ଷ୍ଟେସନରେ ହୁ ହୁ ହୋଇ ଜଳିଥିଲା ତପସ୍ବିନୀ ଏକ୍ସପ୍ରେସ । ଏହି ଅଘଟଣ ପରେ ରେଳଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ?

ଫଟୋ ସୌଜନ୍ୟ: ସମ୍ୱାଦଦାତା, ପୁରୀ

By

Published : Mar 22, 2019, 8:20 PM IST

ପୁରୀ: ସମୟ ମଧ୍ୟାହ୍ନ । ଷ୍ଟେସନରେ ପହଞ୍ଚି ଛିଡା ହୋଇଥିଲା ଟ୍ରେନ । ଯାତ୍ରୀ ଓହ୍ଲାଇ ସାରିଥିଲେ । ହଠାତ ବଗିରୁ ବାହାରିଥିଲା ଧୂଆଁ । ଆଶ୍ଚର୍ଯ୍ୟ ହୋଇଥିଲେ ସମସ୍ତେ । ନା ଟ୍ରେନ ଚାଲୁଥିଲା ନା ପେଣ୍ଟ୍ରି କାର ଆକ୍ଟିଭ ଥିଲା । କିନ୍ତୁ ଟ୍ରେନରେ ଲାଗିଥିଲା ନିଆଁ । ଆଉ ହୁତୁହୁତୁ ହୋଇ ଜଳି ଯାଉଥିଲା 3ଟି ବଗି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ପୁରୀ

ଏହା ହେଉଛି ପୁରୀ ରେଲୱେ ଷ୍ଟେସନର ଦୃଶ୍ୟ । ଯେଉଁଠାରେ ହାତିଆ-ପୁରୀ ଏକ୍ସପ୍ରେସ ଟ୍ରେନରେ ଲାଗିଥିଲା ନିଆଁ । ଆଜି ମଧ୍ୟାହ୍ନ 12ଟା 40ରେ ଘଟିଥିଲା ଏହି ଘଟଣା । ଟ୍ରେନରେ ନିଆଁ ଲାଗିବା ପରେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଲିଭାଇବା କାର୍ଯ୍ୟରେ ଲାଗିଥିଲେ 8ଟି ଦମକଳ ଗାଡି ।

ଷ୍ଟେସନର 4 ନମ୍ବର ପ୍ଲାଟଫର୍ମରେ ଲାଗିଥିଲା ଟ୍ରେନ । ଧୂଆଁ ବାହାରୁଥିବା ଦେଖି ରେଳ ବିଭାଗ ଅଧିକାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୁରୀ ଓ ଶ୍ରୀ ଜଗନ୍ନାଥ ଅଗ୍ନିଶମ କାର୍ଯ୍ୟାଳୟ ସମେତ ବ୍ରହ୍ମଗିରି, ସତ୍ୟବାଦୀ ଏବଂ ପିପିଲିରୁ 8ଟି ଦମକଳ ଗାଡି ପ୍ଲାଟଫର୍ମରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଟ୍ରେନର ଏସ3, ଏସ4, ଏସ5 କୋଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତପ୍ରତିଶ୍ରୁତି ଦେଇଛନ୍ତି ରେଳ ବିଭାଗଅଧିକାରୀ । ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ସାରିଥିଲେ । କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ରହିଛି । ଗତ ରଥଯାତ୍ରା ସମୟରେ ମଧ୍ୟ ଏହି ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ କିଛି ନୂଆ ନୁହେଁ । 2015ରେ ମଧ୍ୟ ଏକକାଳୀନ ଲାଗିଥିଲା 3ଟି ଟ୍ରେନରେ ନିଆଁ । ଏହାର ଏନଆଇଏ ତଦନ୍ତ ହୋଇଥିଲା ।

ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀ । ପ୍ରତିଦିନ ଏଠାରେ ହଜାର ହଜାର ପର୍ଯ୍ୟଟକ ସମାଗମ ହୁଅନ୍ତି । ହେଲେ ବାରମ୍ବାର ଏଠାରେ ଘଟୁଛି ଏପରି ଘଟଣା । ଯାହା ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏନେଇ ରେଳ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details