ପୁରୀ:ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଅନନ୍ୟ । ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରାର ନିଦର୍ଶନ ଗୋଟିପୁଅ ନୃତ୍ୟ । ଏହି ନୃତ୍ୟରେ ବିଭିନ୍ନ ଅଙ୍ଗଭଙ୍ଗୀ ସହିତ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥାଏ। କେବଳ ଦେଶ ନୁହେଁ ସାରା ବିଶ୍ବରେ ଏହି ନୃତ୍ୟର ରହିଛି ସ୍ବତନ୍ତ୍ର ସ୍ଥାନ।
ଛୋଟ ଛୋଟ ପୁଅମାନେ ନିଜକୁ ନାରୀ ବେଶରେ ସଜାଇ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ମୁଣ୍ଡରେ ସିନ୍ଥି, କାନଫୁଲ, ବାହୁରେ ବାହୁଟ, ହାତରେ ମୁଠି, ଅଣ୍ଟା ପଟି, ପାଦରେ ଘୁଙ୍ଗୁର ସହ ହାତ ଓ ପାଦରେ ଲଗାଇଥାନ୍ତି ନାଲି ଅଳତା । ମଧ୍ୟ ଯୁଗର କବି କବିସୂର୍ଯ୍ୟ ବଳଦେବ ରଥ, ଗୋପାଳ କୃଷ୍ଣ, ଗଦାଧର ସାମନ୍ତ ସିଂହାର, ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ, ଚମ୍ପୁ, ଓଡିଶୀ, ପଲି ଗୀତରେ ନୃତ୍ୟ ସହିତ ଅଭିନୟ କରିଥାନ୍ତି କଳାକାରମାନେ । ଏହାସହ ରାଧାକୃଷ୍ଣଙ୍କ ଜୀବନ ବିଷୟକୁ ନୃତ୍ୟରେ ବଖାଣିଥାନ୍ତି ଏମାନେ ।
ତେବେ ଗୋଟିପୁଅ ନୃତ୍ୟ କରୁଥିବା ପୁଅ ପିଲାମାନେ ସାଧାରଣତଃ 7 ବର୍ଷରୁ ଏହି ନୃତ୍ୟ ଶିଖିବା ଆରମ୍ଭ କରିଥାନ୍ତି । ଏହି ନାଚ ଶିଖିଥିବା ପିଲାମାନେ ପିଲାଟି ଦିନରୁ ନିଜ କେଶକୁ ଯତ୍ନର ସହ ବଢାଇଥାନ୍ତି । କାରଣ ନୃତ୍ୟ ସମୟରେ କେଶ ବିନ୍ୟାସ କରିବା ନିହାତି ଆବଶ୍ୟକ । ପାରମ୍ପରିକ ଅଳଙ୍କାର ପିନ୍ଧି ଏହି ବେଶ ହେବା ପରେ ସତେ ଯେମିତି ସୁନ୍ଦର ଝିଅଟିଏ ଭଳି ଦେଖାଯାଆନ୍ତି ଏହି କୁନିକୁନି ପୁଅ କଳାକାର ମାନେ ।
32 ପ୍ରକାର ଶାରୀରିକ ବ୍ୟାୟାମ ସହିତ ଏମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡିଥାଏ । ନୃତ୍ୟକୁ ଭଲଭାବେ ଶିଖିବା ପାଇଁ ପ୍ରାୟ 6ମାସ ଲାଗିଥାଏ । ତେବେ ଗୋଟିପୁଅ ନୃତ୍ୟ କରୁଥିବା କଳାକାର ମାନେ ନିଜକୁ ବେଶ ଗର୍ବ ଅନୁଭବ କରନ୍ତି । ବଞ୍ଚିଥିବା ଯାଏ ଏହି ନୃତ୍ୟର ପ୍ରଚାରପ୍ରସାର କରିବେ ବୋଲି ମତ ଦିଅନ୍ତି ।
ଗୋଟିପୁଅର ଇତିହାସ....
ଏହି ଗୋଟି ପୁଅ ନୃତ୍ୟ ଆରମ୍ଭ ପଛରେ ରହିଛି ଏକ ନିଆରା କାହାଣୀ । ଶ୍ରୀ ଚୈତନ୍ୟ ଚଉଦଶହରୁ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ପୁରୀ ଆସିଥିଲେ । ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଚାପ ଖେଳରେ ମାହାରି ନୃତ୍ୟର ପରମ୍ପରା ଥିବା ବେଳେ ଏହି ଅନନ୍ୟ ମାହାରି ନୃତ୍ୟ ସେ ଦେଖି ପାରି ନଥିଲେ । ତେବେ ଏ ନେଇ ସେ ସେବକଙ୍କ ଠାରୁ ଜାଣିଲେ ଯେ ମାସିକ ଧର୍ମ ହେତୁ ମାସକୁ 7 ଦିନ ମହିଳା ମାନେ ମାହାରି ନୃତ୍ୟ କରିବାରୁ ବଞ୍ଚିତ ରୁହନ୍ତି । ତେବେ ସେ ଗଜପତିଙ୍କୁ ଭେଟି ମାହାରି ନୃତ୍ୟ ପରମ୍ପରା ଶ୍ରୀମନ୍ଦିରରେ ପ୍ରତିଦିନ ଜାରି ରହିବା ପାଇଁ 7 ବର୍ଷ ରୁ 14 ବର୍ଷ ଛୋଟ ପୁଅଙ୍କୁ ମହିଳା ବେଶରେ ସଜାଇ ମାହାରି ନୃତ୍ୟ ପରମ୍ପରା ବଜାୟ ରଖିବାକୁ କହିଥିଲେ ।