ଓଡିଶା

odisha

ETV Bharat / state

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିସହ ହବିଷ୍ୟାଳୀ ଶିବିରରେ ରହିବା ପାଇଁ ମଙ୍ଗଳବାର ଠାରୁ ହେବ ଆବେଦନ ପ୍ରକ୍ରିୟା । ଅଧିକ ପଢନ୍ତୁ

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ
ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

By

Published : Sep 12, 2022, 10:53 PM IST

ପୁରୀ:ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ । ଏଥିସହ ହବିଶ୍ୟାଳୀ ଶିବିରରେ ରହିବା ପାଇଁ ମଙ୍ଗଳବାର ଠାରୁ ହେବ ଆବେଦନ ପ୍ରକ୍ରିୟା । ଆବେଦନ କାରୀ ଡବଲ ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ ଅଟେ ।

ତେବେ ସୂଚନା ଅନୁଯାୟୀ, ପୁରୀରେ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ପାଖରେ ହବିଷ ବ୍ରତ କରିବାକୁ ହବିଷ୍ୟାଳୀ ମାନେ ପୁରୀ ଆସିଥାନ୍ତି। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ପ୍ରଶାସନ ପକ୍ଷରୁ ହବିଷ୍ୟାଳୀମାନଙ୍କ ପାଇଁ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା ,ଖାଇବା ଇତ୍ୟାଦି ର ସୁବନ୍ଦୋବସ୍ତ ବିଗତ ବର୍ଷ ମାନଙ୍କରେ କରାଯାଇଥିଲା । ତେବେ କରୋନା ପାଇଁ ଗତ ଦୁଇବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ପାଇଁ ପୁନଶ୍ଚ ଏହାର ବ୍ୟବସ୍ଥା କରାଯାଇଛି । ଏନେଇ ହବିଷ୍ୟାଳୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ବୟ ରଖି ସୁଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏଥିସହ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚିସାହି ସ୍ଥିତ ମୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ରଖାଯିବ। ସେମାନଙ୍କର ପଞିକରଣ ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେଶକୁ ତ୍ବରାନ୍ବିତ କରାଯିବ। ଆବେଦନ ଗୁଡିକୁ ଯାଞ୍ଚ ପରେ ଯୋଗ୍ୟ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ସୁବିଧା କରାଯିବ। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି।ଏଥିସହ ସେମାନଙ୍କ ମହାପ୍ରସାଦ ସେବନ,ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ,ବିଦ୍ୟୁତ ଯୋଗାଣ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦିର ମଧ୍ୟ ସୁବନ୍ଦୋବସ୍ତ କରାଯିବ ।

ଚଳିତ ମାସ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ www.puri.nic.in ସାଇଟରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନଲାଇନ ବା ଅଫଲାଇନ କିମ୍ବା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟ ପତ୍ର ନମ୍ବର, ଆବେଦନ ପତ୍ରରେ ଗୋଟିଏ ଓ ଅନ୍ୟ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଏଥିସହ ଆବେଦନକାରୀ ଡବଲ ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ ଅଟେ ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details