ଆଉ ହାତରେ 2ଦିନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ପୋଲିସ ଡିଜି ପୁରୀ:ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଦେଶ ବିଦେଶରୁ ଆସିଥିବା ଅନେକ ଅତିଥି । ଅନେକ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହିବେ । ଏଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ବଡ଼ଦାଣ୍ଡ ଏବଂ ଅତିଥିମାନେ ବସିବାକୁ ଥିବା ସଭାସ୍ଥଳୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି (ସୋମବାର) ପୁରୀ ଗସ୍ତରେ ଆସି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ସୁରକ୍ଷା ବ୍ୟବସ୍ଥା ଆଉ କିଭଳି ଅଧିକ କଡାକଡ଼ି କରାଯାଇପାରିବ ସେନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ପୁରୀ ଏସପି ଡଃ କନୱର ବିଶାଳ ସିଂ ଙ୍କ ସହିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ପୋଲିସ ଡିଜି । ସମଗ୍ର ଉତ୍ସବସ୍ଥଳୀ ସହିତ ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ । ଏଥିସହ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୨୫୦ ଜଣ ସବ୍ ଇନ୍ସପେକ୍ଟର, ଚାରୋଟି ବୋମା ନିଷ୍କ୍ରିୟକାରୀ ଟିମ୍, ତିନୋଟି ଅତ୍ୟାଧୁନିକ K9 ସିକ୍ୟୁରିଟି ଟିମ୍, ସାଧା ପୋଷାକଧାରୀ ପୋଲିସ ସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାନୁଆରୀ ୧୭ ଦିନ ରାଜ୍ୟରେ ଛୁଟି ଘୋଷଣା
ସଭାସ୍ଥଳକୁ ଏବଂ ଯଜ୍ଞସ୍ଥଳୀକୁ କେବଳ ପାସଧାରୀ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ରହିବ । ସଭାସ୍ଥଳୀରେ ୯ଶହ ଅତିଥି ବସିବା ଭଳି ବ୍ୟବସ୍ଥା କରାଯାଇଛି । ଯଜ୍ଞସ୍ଥଳୀକୁ କେବଳ ପୂଜାରେ ନିୟୋଜିତ ଥିବା ପୂଜକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରବେଶ ପାଇଁ ଅନୁମତି ରହିବ । ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆଜି ପ୍ରଥମେ ହେଲିପ୍ୟାଡ, ଶ୍ରୀସେତୁ, ସମଙ୍ଗ ପାର୍କିଂ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର, ଶ୍ରୀମାର୍ଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅଭ୍ୟର୍ଥନା କେନ୍ଦ୍ର ସହ ଶ୍ରୀମନ୍ଦିର ଚାରିପାଖର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।
ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କର ଯେଭଳି ଅସୁବିଧା ନହୁଏ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ। ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଡିଜିପି କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବସ୍ଥଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ପାଇଁ ଫେସ ରିଡିଂ କ୍ୟାମେରା ମଧ୍ୟ ପୋଲିସ ପକ୍ଷରୁ ସ୍ଥାପନ କରାଯାଇଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ସମ୍ପୂର୍ଣ୍ଣ ପୋଲିସ ଛାଉଣିରେ ପରିଣତ କରାଯାଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ଇଟିଭି ଭାରତ, ପୁରୀ