ପୁରୀ:ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପୁରୀର ଶ୍ରୀଲୋକନାଥ ମନ୍ଦିରରେ ଜଳଲାଗି ପାଇଁ କାଉଡିଆଙ୍କ ଭିଡ । କିଏ କଟକ ଗଡଗଡିଆ ଘାଟରୁ ପାଣି ଉଠାଇ ଆସିଛି ତ ଆଉ କିଏ ଚନ୍ଦନପୁର ଭାର୍ଗବୀରୁ ପାଣି ଉଠାଇ ଆସିଛି । ଗତରାତି ପ୍ରାୟ ୧୨ଟା ଠାରୁ ଶ୍ରୀଲୋକନାଥଙ୍କ ନିକଟରେ ଚାଲିଛି ଜଳଲାଗି । ନିର୍ଦ୍ଧାରିତ ୧୦ ଟଙ୍କାର ଟିକେଟ କାଟି କାଉଡିଆ ମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିଛନ୍ତି ।
ତେବେ ଶ୍ରାବଣ ମାସ ସୋମବାରରେ ଶ୍ରୀକ୍ଷେତ୍ର ଆସିଲେ ଭକ୍ତଙ୍କୁ ତିନୋଟି ପୂଣ୍ୟ ମିଳିଥାଏ । ଲୋକନାଥଙ୍କ ନିକଟରେ ଜଳଲାଗି ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ମହୋଦଧିରେ ବୁଡ ପକାଇବାର ସୁଯୋଗ । ଏଥିଲାଗି ଶ୍ରୀକ୍ଷତ୍ରକୁ ପାଣିଭାର ନେଇ ଆସିବାକୁ କାଉଡିଆ ଭକ୍ତମାନେ ପ୍ରାଥମିକତା ଦେଇଥାନ୍ତି । ଏନେଇ ଶୃଙ୍ଖଳିତ ଦର୍ଶନ ସହିତ ଜଳଲାଗି ପାଇଁ ଟ୍ରଷ୍ଟ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। କାଉଡିଆମାନେ ପାଣିଭାର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି କାଉଡିଆମାନେ ମନ୍ଦିରକୁ ପ୍ରବେଶ ପାଇଁ ରୋଷଶାଳା ପଛପଟେ ବ୍ୟାରିକେଡ କରାଯାଇଛି । ଟିକେଟ କାଟି ପ୍ରବେଶ କରିବେ ଓ ମୁଖ୍ୟଦ୍ୱାର ଦେଇ ପ୍ରସ୍ଥାନ କରିବେ।
ସେହିପରି ସାଧାରଣ ଭକ୍ତଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ମଳମାସ ଯୋଗୁଁ କାଉଡିଆ ଭକ୍ତଙ୍କ ପାଇଁ ଟିକେ ସମସ୍ୟା ଥିଲେ ମଧ୍ୟ ଶ୍ରାବଣ ମାସର ଶେଷ ସୋମବାରରେ ବେଶ୍ ଉତ୍ସାହିତ ଭକ୍ତ। ସେପଟେ ହଜାର ହଜାର ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ଜଣେ ଅତିରିକ୍ତ ଏସପି, ଡିଏସପି, ୮ଜଣ ଇନିସପେକ୍ଟରଙ୍କ ସହ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି ।