ପୁରୀ:ଶ୍ରୀଜିଉଙ୍କ ସୁନାବେଶ ସମୟରେ ଶ୍ରୀକ୍ଷେତ୍ରରେ ଅଘଟଣ । ମହାପ୍ରଭୁଙ୍କ ସୁନାବେଶ ଦେଖୁ ଦେଖୁ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ । ଗତକାଲି(ଗୁରୁବାର) ରଥାରୂଢ ଠାକୁରଙ୍କ ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ପ୍ରବଳ ଭିଡ ଯୋଗୁଁ ଜଣେ ଶ୍ରଦ୍ଧାଳୁ ହଠାତ୍ ଅଚେତ୍ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି କଟକ ସାଲେପୁର ଅଞ୍ଚଳର ଯୁବତୀ ସଂଘମିତ୍ରା ବାରିକ । ସୁନାବେଶ ଦର୍ଶନ ପାଇଁ ସେ ପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ । ତେବେ ପ୍ରବଳ ଭିଡରେ ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।
ଏହାମଧ୍ୟ ପଢନ୍ତୁ: ଫୁଲ ତୋଳିବାକୁ ଯାଇ ପାଇଖାନା ଟାଙ୍କିରେ ଖସି ପଡିଲେ ମହିଳା, ଚାଲିଗଲା ଜୀବନ
ସୂଚନା ଅନୁସାରେ, ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ଥିଲା । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ସାଲେପୁରର ସଂଘମିତ୍ରା ମଧ୍ୟ ସପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ । ସମସ୍ତେ ସୁନାବେଶ ଦର୍ଶନ କରିଥିଲେ । ଦର୍ଶନ ସାରି ପ୍ରବଳ ଭିଡ ଭିତରେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ଅଣନିଶ୍ବାସୀ ହୋଇଯାଇଥିଲେ । ସେ ଅଚେତ୍ ହୋଇଯିବାରୁ ମାଉସୀ ପୁଅ ରାଜେନ୍ଦ୍ର ବାରିକ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ଅଣନିଶ୍ବାସୀ ହୋଇଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ତେବେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।