ପୁରୀ:ଜୋର ଧରିଲାଶ୍ରୀମନ୍ଦିରର ଚାରି ଦ୍ଵାର ଏବଂ ରତ୍ନ ଭଣ୍ଡାର ଖୋଲିବା ଦାବି। ଭକ୍ତଙ୍କ ପାଇଁ ଚାରି ଦ୍ଵାର ଏବଂ ରତ୍ନ ଭଣ୍ଡାର ଖୋଲିବା ନେଇ ଅକ୍ଟୋବର 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା । ମହାପ୍ରଭୁଙ୍କ ପରମ୍ପରା ଓ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ଅଗଣିତ ଭକ୍ତମାନେ ଗୋଟିଏ ଦିନ ଅଖଚକ ବନ୍ଦ କରନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଶ୍ରୀ ମନ୍ଦିର ଚାରି ଦ୍ୱାରର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ଧର୍ମ, ଅର୍ଥ, କାମ, ମୋକ୍ଷ ତତ୍ତ୍ଵକୁ ନେଇ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଥିବାବେଳେ ରାଜ୍ୟ ସରକାର ଭକ୍ତଙ୍କ ଧାର୍ମିକ ଅଧିକାରକୁ କ୍ଷୁର୍ଣ୍ଣ କରି କେବଳ ସିଂହ ଦ୍ଵାର ଦେଇ ପ୍ରବେଶ ଅନୁମତି ଦେଇଛନ୍ତି। ଏହା ଦ୍ବାରା ଅଯଥାରେ ଭିଡ ହେଉଥିବାବେଳେ ଭକ୍ତ ମାନେ ଖରା, ବର୍ଷାରେ ଲମ୍ବା ଲାଇନରେ କଲବଲ ହେଉଛନ୍ତି। ତେବେ ବହୁ ଦାବି ପରେ କେବଳ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲାଯାଇଛି। ହେଲେ ପ୍ରଭୂ ଜଗନ୍ନାଥ ସମସ୍ତଙ୍କ ଦେବତା। ତେବେ କେବଳ ପୁରୀ ବାସିନ୍ଦା କାହିଁକି, ଶ୍ରୀମନ୍ଦିର ଆସିଥିବା ପ୍ରତ୍ୟେକ ଭକ୍ତଙ୍କୁ ଚାରି ଦ୍ୱାର ଦେଇ ପ୍ରଵେଶ ଅନୁମତି ଦିଆଯାଉ।" ସେହିପରି ଆସନ୍ତା ରଥଯାତ୍ରାବେଳେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଜଗନ୍ନାଥ ସେନା ବିରୋଧ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି, "ରଥଯାତ୍ରା ପୂର୍ବରୁ ନିର୍ବାଚନ ସରି ଯାଇଥିବ। ରତ୍ନ ଭଣ୍ଡାରରେ ଅନିୟମିତତା ହେଲେ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି। ରାଜ୍ୟ ସରକାର ଜଗନ୍ନାଥ ପ୍ରେମୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ତୁରନ୍ତ ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ସ୍ଥିତି ଜଗନ୍ନାଥ ପ୍ରେମୀଙ୍କୁ ଅବଗତ କରାନ୍ତୁ। ରତ୍ନ ଭଣ୍ଡାର ଯଦି ସୁରକ୍ଷିତ ଅଛି , ତୁରନ୍ତ ରତ୍ନ ଭଣ୍ଡାର ଖୋଲି ଏହାର ସ୍ଥିତି ଜଣାନ୍ତୁ।" ଯେହେତୁ ରତ୍ନ ଭଣ୍ଡାର ଏହି ସରକାର ସମୟରେ ଲୁଟ୍ ହୋଇଛି, ଏଣୁ ସରକାର ରତ୍ନ ଭଣ୍ଡାର ଖୋଲିବାରେ ପଛ ଘୁଞ୍ଚା ଦେଉଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ତେବେ ଆସନ୍ତା 3 ତାରିଖରେ ଓଡ଼ିଶାବାସୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରନ୍ତୁ ବୋଲି ଜଗନ୍ନାଥ ସେନା ଆହ୍ଵାନ ଦେଇଛି।