ପୁରୀ: ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏଥିପାଇଁ ନିର୍ମାଣକାର୍ଯ୍ୟ ଓ ପ୍ରସ୍ତୁତି ଜୋରଦାର ଚାଲିଛି । ଆଗାମୀ ୧୧ ତାରିଖ ରାତି ସୁଦ୍ଧା ପରିକ୍ରମା ମାର୍ଗର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଛି । ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ ଓ ଅରୁଆ ଚାଉଳ ଦେଇଥିଲେ । ସାରା ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ । ଏଣୁ ପ୍ରତି ବ୍ଲକରୁ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ପୁରୀ ସଦର ବ୍ଲକରୁ ଅର୍ପଣ ରଥ ଶୁଭାରମ୍ଭ କରାଯାଇଛି । ଏହି ରଥ ପୁରୀ ସଦର ବ୍ଲକର 30ଟି ପଞ୍ଚାୟତ ବୁଲି ଗୁଆ, ଅରୁଆ ଚାଉଳ ସଂଗ୍ରହ କରିବ । ପୁରୀ ଜିଲ୍ଲାରେ ଥିବା 11ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଆଜିଠାରୁ 15 ତାରିଖ ଯାଏଁ ଅନୁଷ୍ଠିତ ହେବ । ସାରା ଓଡ଼ିଶାରେ ପ୍ରତି ବ୍ଲକରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ ପାଇଁ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଛି ।