ପୁରୀ: ଆଜି ଅଣସର ଦଶମୀ ତିଥି । ମହାପ୍ରଭୁଙ୍କ ଶରୀର ଉପଚାର ପାଇଁ ଶ୍ରୀମନ୍ଦିରକୁ ରାଜ ବୈଦ୍ୟ ନେବେ ଦଶମୂଳ ମୋଦକ । ଆସନ୍ତାକାଲି ଏହା ଶ୍ରୀଜିଉଙ୍କ ନିକଟରେ ଲାଗି ହେବା ପରେ ଚକା ବିଜେ ହେବେ ମହାପ୍ରଭୁ । ଦଶମୂଳ ମୋଦକ ଲାଗି ପରେ ଜାବରରୁ ସୁସ୍ଥ ହେବେ ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଗରାରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି।
ଦଶମୂଳ ମୋଦକ କଣ ?
ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ l ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ l ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି l ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ ଶାଳପନ୍ନି , ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ l ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ l ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ l ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ l ଥଣ୍ଡା ହେବା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ l
ଏହା ଉପରେ କର୍ପୁର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ l ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ l ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି l ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି l