ପୁରୀ:ମହଙ୍ଗା ପଡ଼ିଲା ଲାଞ୍ଚ ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ପ୍ରବେଶ କରାଇବା । ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଲାଞ୍ଚ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇବା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ପୁରୀ ଏସପି । ପୋଲିସ କର୍ମଚାରୀ ଜଣକ ହେଉଛନ୍ତି OSAP ବାଟାଲିୟନର ସୁବାଶିଷ ଦାଶ ।
ଶ୍ରୀମନ୍ଦିର ଚାରି ଦ୍ଵାରରେ ମୁତୟନ ହୋଇଥିବା ପୋଲିସଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଟଙ୍କା ନେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡୁଛନ୍ତି । ସିଂହଦ୍ୱାର ପଟେ କେବଳ ପ୍ରବେଶ ଅନୁମତି ଥିବା ବେଳେ ଏହାର ଫାଇଦା ନେଇଛନ୍ତି ପୋଲିସ କର୍ମଚାରୀ । ପଶ୍ଚିମ ଦ୍ଵାର, ଦକ୍ଷିଣ ଦ୍ଵାର, ଉତ୍ତର ଦ୍ଵାରରେ ଭକ୍ତଙ୍କ ଠାରୁ ଟଙ୍କା ନେଇ ଭିତରକୁ ଛାଡୁଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜଣେ ବ୍ୟକ୍ତି ତାଙ୍କ ପକେଟରୁ ଟଙ୍କା କାଢି ପୋଲିସକୁ ଦେଉଛନ୍ତି । ପରେ ଭକ୍ତଙ୍କୁ ନେଇ ପଶ୍ଚିମ ଦ୍ୱାରରେ ପୋଲିସ ଜଣକ ପ୍ରବେଶ କରୁଛନ୍ତି । ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଘଟଣାକୁ ନେଇ ପୁରୀ ଏସପି କେ. ବିଶାଲ ସିଂ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ଡ୍ୟୁଟିରେ ଥିବା OSAP ବାଟାଲିୟନର ସୁବାଶିଷ ଦାଶଙ୍କୁ ନିଲମ୍ବନ କରିଛନ୍ତି ।