ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - Srimandir

Srimandir Parikrama Project: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଥିବାରୁ ଏହା ପୂର୍ବରୁ ପୁରୀ ଆସି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

By ETV Bharat Odisha Team

Published : Jan 10, 2024, 9:21 AM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଥିବାରୁ ଏହା ପୂର୍ବରୁ ପୁରୀ ଆସି ସମସ୍ତ କାର୍ଯ୍ୟର ଆଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀକ୍ଷେତ୍ରରେ ପହଞ୍ଚି ତନ୍ନ ତନ୍ନ କରି ଯଜ୍ଞ ସ୍ଥଳ, ପରେ ଶ୍ରୀମନ୍ଦିର ପରିକ୍ରମା ଚତୁଃପାର୍ଶ୍ଵ ଓ ଶେଷରେ ଶ୍ରୀମାର୍ଗ କାର୍ଯ୍ୟ ଓ ଶ୍ରୀସେତୁର ଅନୁଧ୍ୟାନ କରିଛନ୍ତି । ୧୧ ତାରିଖ ସୁଦ୍ଧା ଓବିସିସି ଯାତ୍ରୀ ପରିକ୍ରମା କାମ ସାରି ପ୍ରଶାସନକୁ ହସ୍ତାନ୍ତର କରିବ । ପରିକ୍ରମା ମାର୍ଗରେ ପଡିରହିଥିବା ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ ।

ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ, ଟାଟା, ଓବିସିସି ଅଧିକାରୀ କାର୍ଯ୍ୟର ଟିକନିକ୍ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି, ’’ପୂର୍ବ ସମୀକ୍ଷାର ୩ ଦିନ ପରେ କାର୍ଯ୍ୟର ବେଶ ଅଗ୍ରଗତି ହୋଇଛି । ୮୦୦ ମିଟର ଶ୍ରୀମାର୍ଗରେ ଫେଭର ବ୍ଲକ ପକାଯାଉଛି । ୮୦୦ ମିଟର ମଧ୍ୟରୁ ୩୦୦ ମିଟର ରାସ୍ତା ସମସ୍ୟା ରହିଛି ।’’ ଭୂତଳ କେବୁଲିଂ, ପାଇପ ୱାଟର ପକା କାର୍ଯ୍ୟ ସରିଥିବାରୁ ଶ୍ରୀମାର୍ଗ କାର୍ଯ୍ୟ ସରିବା ନେଇ ଦୃଢ଼ ଆଶାବାଦୀ ଅଛନ୍ତି ମୁଖ୍ୟ ଶାସନ ସଚିବ । ଦିନ ରାତି ଏକ କରି କାମ ସମ୍ପୂର୍ଣ୍ଣ ପାଇଁ ଅଧିକ କର୍ମଚାରୀ ନିୟୋଜିତ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ୯ଟି ସ୍ଲାଇଡିଂ ଡୋର । ଏବେ ଏହା ମନୁଷ୍ୟକୃତ ଭାବେ ପରିଚାଳିତ ହେବ । ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଦାୟିତ୍ଵ ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ । ଶ୍ରୀସେତୁର ସ୍ବାଗତ ତୋରଣ ପ୍ରଥମେ ପରୀକ୍ଷଣ କରାଯିବ । ସୁରକ୍ଷା ଓ ନିରାପତ୍ତା ରିପୋର୍ଟ ଠିକ୍ ଆସିଲେ ପୂର୍ଣ୍ଣ ସ୍ବାଗତ ତୋରଣ ନଚେତ୍ ବୈଷୟିକ କମିଟିର ସହାୟତା ନେଇ ଗୋଟିଏ ଫାଳ ଖୋଲାଯିବ । ପୁରୀର ଅନେକ ପରିବର୍ତ୍ତନ ହୋଇଛି । ଆହୁରି ଅନେକ ପ୍ରକଳ୍ପ କାମ ଚାଲିଛି । ବଡ଼ଦାଣ୍ଡର ରୂପ ରେଖ ବଦଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ ଓ ଗୁଆ ସଂଗ୍ରହ

ଆସନ୍ତା ୧୨ ତାରିଖରୁ ଗଜପତିଙ୍କ ଦ୍ବାରା ବ୍ରାହ୍ମଣ ବରଣ ସହ ଅଙ୍କୁରାରୋପଣ, ୧୩ରେ ଅଙ୍କୁର ପୂଜନ, ୧୪ରେ ମଣ୍ଡପ ସ୍ଥାପନ ସହ ଅଙ୍କୁର ପୂଜନ, ୧୫ରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ଆରତୀ, ପୁଷ୍ପାଞ୍ଜଳି ସହ ୧୭ ତାରିଖ ୧ଟା ୩୦ରୁ ୨ଟା ୨୫ ମଧ୍ୟରେ ଯଜ୍ଞରେ ପୂର୍ଣ୍ଣାହୁତି ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ମଠ ଓ ମନ୍ଦିରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଛି ।

ସେହିପରି ପୁରୀ ପୌରପାଳିକା ପକ୍ଷରୁ ସହରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବିଭିନ୍ନ ସ୍ଥାନରେ ପାରମ୍ପରିକ ଚିତ୍ରକଳା ସହ ରଙ୍ଗୀନ ଆଲୋକମାଳାରେ ସଜେଇ ଦିଆଯାଉଛି । ମନ୍ଦିର ଚତୁଃପାର୍ଶ୍ବକୁ ବିଭିନ୍ନ ଆକର୍ଷଣୀୟ ଫୁଲ ଗଛରେ ମଧ୍ୟ ସଜା ଯାଇଛି । ଫଳରେ ଭକ୍ତମାନେ ଏକ ନୂଆ ଅନୁଭୂତି ନେଇ ଫେରିବେ । ଦେଶ ବିଦେଶରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ଅତିଥି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରିତ ହୋଇଥିବାରୁ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଚତୁପାର୍ଶ୍ବ ଏବଂ ସହରର ପ୍ରମୁଖ ସ୍ଥାନରେ ବ୍ୟାପକ ଭାବେ ସିସିଟିଭି ଲଗାଯାଇ କଡ଼ା ନଜର ରଖିଛି ପୋଲିସ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details